ସାକ୍ଷାତକାର କାର୍ଯ୍ୟକ୍ରମ ଅଧାରୁ ଉଠି ଆସିଲେ ସ୍ବାମୀ ଅଭିମୁକ୍ତେଶ୍ବରାନନ୍ଦ
ନୂଆଦିଲ୍ଲୀ: ଶିଶୁଙ୍କୁ ଯୌନ ନିର୍ଯାତନା ଦେଉଥିବା ଅଭିଯୋଗରେ ଜ୍ୟୋର୍ତିମଠର ଶଙ୍କରାଚାର୍ଯ୍ୟ ସ୍ବାମୀ ଅଭିମୁକ୍ତେଶ୍ବରାନନ୍ଦ ସରସ୍ବତୀ ଓ ତାଙ୍କର ଜଣେ ଶିଷ୍ୟଙ୍କ ବିରୋଧରେ ଏତଲା ଦାଏର କରିବାକୁ ଉତ୍ତର ପ୍ରଦେଶର ଏକ ପୋକ୍ସୋ ଅଦାଲତ କିଛି ଦିନ ପୂର୍ବେ ପୁଲିସକୁ ନିର୍ଦେଶ ଦେଇଛନ୍ତି। ନିକଟରେ ଜାତୀୟସ୍ତରର ଏକ ଟେଲିଭିଜନ ଚ୍ୟାନେଲ ପକ୍ଷରୁ ସାକ୍ଷାତକାର ପାଇଁ ସ୍ବାମୀ ଅଭିମୁକ୍ତେଶ୍ବରାନନ୍ଦଙ୍କୁ ଆମନ୍ତ୍ରଣ କରାଯାଇଥିଲା। ଆମନ୍ତ୍ରଣ ସ୍ବୀକାର କରି ସ୍ବାମୀଜୀ ମଧ୍ୟ ଉକ୍ତ ଚ୍ୟାନେଲରେ ଉପସ୍ଥିତ ହୋଇଥିଲେ। ତେବେ ସାକ୍ଷାତକାର ଚାଲିଥିବାବେଳେ କାର୍ଯ୍ୟକ୍ରମ ସଞ୍ଚାଳନ କରୁଥିବା ମହିଳା ସାମ୍ବାଦିକ ଶିଶୁଙ୍କୁ ଯୌନ ନିର୍ଯାତନା ଦିଆଯାଇଥିବା ପ୍ରସଙ୍ଗ ଉଠାଇଥିଲେ।
ଆପଣଙ୍କ ବିରୋଧରେ ଏଭଳି ଗୁରୁତର ଅଭିଯୋଗ ଆସିଥିବାବେଳେ ଆପଣ କ’ଣ କହିବାକୁ ଚାହୁଁଛନ୍ତି ବୋଲି ସାମ୍ବାଦିକ ଜଣକ ତାଙ୍କୁ ପ୍ରଶ୍ନ କରିଥିଲେ। ଜବାବରେ ସ୍ବାମୀଜୀ କହିଥିଲେ ଯେ ଏଭଳି ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ, କପୋଳକଳ୍ପିତ ତଥା ଉଦ୍ଦେଶ୍ୟ ପ୍ରଣୋଦିତ। ମୋତେ ବଦନାମ କରିବାକୁ କେତେକ ଗୋଷ୍ଠୀ ଚକ୍ରାନ୍ତ କରୁଛନ୍ତି। ସାମ୍ବାଦିକ ପୁଣି ପଚାରିଥିଲେ ଯେ ଅଦାଲତ ଆପଣଙ୍କ ବିରୋଧରେ ଏତଲା ଦାଏର ପାଇଁ ସ୍ପଷ୍ଟ ନିର୍ଦେଶ ଦେଇସାରିଥିବାବେଳେ ଆପଣ ଏଥିପାଇଁ କାହାକୁ ଦାୟୀ ବୋଲି ଭାବୁଛନ୍ତି ? ଏଥିରେ ଉତ୍କ୍ଷିପ୍ତ ହୋଇ ସ୍ବାମୀ ଅଭିମୁକ୍ତେଶ୍ବରାନନ୍ଦ ତୁରନ୍ତ କାର୍ଯ୍ୟକ୍ରମ ଅଧାରୁ ଉଠି ଚାଲିଯାଇଥିଲେ।
Powered by Froala Editor