ପାରାଦୀପ ମୁଖ୍ୟ ପରିବା ମାର୍କେଟରେ ଅଗ୍ନିକାଣ୍ଡ, ୬୫ ଦୋକାନ ଜଳିଗଲା
ଜଗତସିଂହପୁର ଜିଲା ପାରାଦୀପ ବନ୍ଦର ସହର ବଡପଡିଆ ମୁଖ୍ୟ ପରିବା ମାର୍କେଟରେ ଶନିବାର ଅଗ୍ନିକାଣ୍ଡ ଘଟିଛି । ଏଥିରେ ୬୫ ରୁ ଅଧିକ ଦୋକାନ ଘର ସମ୍ପୂର୍ଣ୍ଣ ପୋଡ଼ି ଯାଇଛି ।ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି । ମଶା ଧୂପ କିମ୍ବା ବିଦ୍ୟୁତ ସର୍ଟସର୍କିଟରୁ ଏପରି ଘଟିଛି ବୋଲି ଆଲୋଚନା ହେଉଛି।
ପାରାଦୀପର ସବୁଠାରୁ ବଡ଼ ଓ ମୁଖ୍ୟ ପରିବା ବଜାର ମଧ୍ୟରେ ପ୍ରାୟ ୨ ଶହରୁ ଅଧିକ ବ୍ୟବସାୟୀ ଅସ୍ଥାୟୀ ପିଣ୍ଡିରେ ପରିବା ବେପାର କରନ୍ତି । ସେମାନଙ୍କ ପାଇଁ ସ୍ଥାୟୀ ଶେଡ୍ ଏପର୍ଯ୍ୟନ୍ତ ହୋଇନାହିଁ । ଫଳରେ ସବୁ ବ୍ୟବସାୟୀ ବାଉଁଶ ଭରା ଉପରେ ପଲଥିନ୍ ଶେଡ୍ କରି ବେପାର କରୁଥିଲେ । ନିଆଁ ଲାଗିଲା ପରେ ତାହା ପଲଥିନ୍ ଯୋଗୁଁ ବ୍ୟାପି ଯାଇଥିଲା। ଘଟଣା ପରେ ପୌରାଧ୍ୟକ୍ଷ ବସନ୍ତ ବିଶ୍ବାଳ ଘଟଣା ସ୍ଥଳରେ ପହଞ୍ଚି ପ୍ରଭାବିତ ବ୍ୟବସାୟୀଙ୍କୁ ଭେଟି ସାନ୍ତ୍ବନା ଜଣାଇଥିଲେ ।
ଖବରପାଇ ପାରାଦୀପ ବନ୍ଦର ଅଗ୍ନିଶମ ବିଭାଗ, କୁଜଙ୍ଗ ଅଗ୍ନିଶମ ବିଭାଗ ଓ ବିଭିନ୍ନ ଶିଳ୍ପ ସଂସ୍ଥାର ୮ ଟି ନିଆଁ ଲିଭା ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ସମ୍ପୂର୍ଣ୍ଣ ନିଆଁ ଆୟତ୍ତ ହେବାକୁ ରବିବାର ଭୋର ପର୍ଯ୍ୟନ୍ତ ଲାଗିଥିଲା।
Powered by Froala Editor