କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ନିମନ୍ତେ ୪୨, ୪୯୨ କୋଟି ଟଙ୍କାର ବଜେଟ ଅଟକଳ
ଭୁବନେଶ୍ବର: ରାଜ୍ୟ ସରକାର ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ୩ଲକ୍ଷ ୧୦ ହଜାର କୋଟି ଟଙ୍କାର ସାଧାରଣ ବଜେଟ ଆଣିଛନ୍ତି। ଆର୍ଥିକ ବର୍ଷ ୨୦୨୬-୨୭ ଲାଗି କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ନିମନ୍ତେ ରାଜ୍ୟ ସରକାର ୪୨, ୪୯୨ କୋଟି ଟଙ୍କାର ବଜେଟ ଅଟକଳ କରିଛନ୍ତି। ଏହା ମୋଟ ବଜେଟର ୧୩.୭ ପ୍ରତିଶତ। ଜିଏସଡିପିର ୩.୮ ପ୍ରତିଶତ। ୨୦୨୫-୨୬ ଆର୍ଥିକ ବର୍ଷ ବଜେଟ ଅଟକଳ ତୁଳନାରେ ୧୨.୩ ପ୍ରତିଶତ ବୃଦ୍ଧି ପାଇଛି। ଗତ ଆର୍ଥିକ ବର୍ଷରେ କୃଷି ବଜେଟ ଆକାର ୩୭, ୮୩୮ କୋଟି ଟଙ୍କା ଥିବାବେଳେ ଚଳିତ ବଜେଟରେ ଏହା ୪୨, ୪୯୨ କୋଟି ଟଙ୍କାକୁ ବୃଦ୍ଧି ପାଇଛି।
ବଜେଟରେ ସମୃଦ୍ଧ କୃଷକ ଯୋଜନା ଅଧୀନରେ କୁଇଣ୍ଟାଲ ପିଛା ୩୧ ଶହ ଟଙ୍କା ମୂଲ୍ୟରେ ଧାନ କ୍ରୟ ପାଇଁ ୬ ହଜାର ୮୮ କୋଟି ଟଙ୍କାର ପ୍ରସ୍ତାବ ରହିଛି। ଚାଷୀଙ୍କୁ ସମୟୋଚିତ ପୈଠ ଏବଂ ଧାନ ସଂଗ୍ରହ ପ୍ରକ୍ରିୟା ପାଇଁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଅଧୀନରେ ୫ ହଜାର କୋଟି ଟଙ୍କାର ଏକ ଆବର୍ତ୍ତନ ପାଣ୍ଠି ଗଠନ କରାଯାଇଛି। ଗ୍ରାମାଞ୍ଚଳ ଓ ସହରାଞ୍ଚଳର ଚାଷୀ, ଜମି ମାଲିକ, ଭୂମିହୀନ ପରିବାର ଏବଂ ବିଶେଷ ଭାବେ ସମ୍ବେଦନଶୀଳ ଜନଜାତିଙ୍କ ପାଖରେ ଅତିରିକ୍ତ ସହାୟତା ନିମନ୍ତେ ପ୍ରଧାନମନ୍ତ୍ରୀ-କିଷାନ ଯୋଜନାକୁ ମୁଖ୍ୟମନ୍ତ୍ରୀ-କିଷାନ ଯୋଜନା ଜରିଆରେ କାର୍ଯ୍ୟକାରୀ କରିବା ପାଇଁ ୨ ହଜାର ୩୦ କୋଟି ଟଙ୍କାର ପ୍ରସ୍ତାବ ରଖାଯାଇଛି।
‘ଶ୍ରୀ ଅନ୍ନ ଅଭିଯାନ’ ପାଇଁ ୪ ଶହ କୋଟି ଟଙ୍କାର ବ୍ୟବସ୍ଥା କରାଯାଇ ଥିବାବେଳେ ଫସଲ ବିବିଧକରଣ କାର୍ଯ୍ୟକ୍ରମ, ସ୍ବଦେଶୀ ପ୍ରଜାତିର ଧାନକୁ ପ୍ରୋତ୍ସାହନ ଏବଂ ଅମଳ ପରବର୍ତ୍ତୀ ଧାନ ପଡ଼ିଆର ବ୍ୟାପକ ପରିଚାଳନା ଆଦି ପଦକ୍ଷେପ ପାଇଁ ମୋଟ ୪ଶହ ୬୯ କୋଟି ଟଙ୍କାର ବ୍ୟୟବରାଦ ହୋଇଛି। ୬ଟି ଜିଲାରେ କଫି ଚାଷ ପାଇଁ ୧ଶହ ୫୦ କୋଟି ଟଙ୍କାର ପ୍ରସ୍ତାବ ଥିବାବେଳେ ପ୍ରଯୁକ୍ତିବିଦ୍ୟା ଦ୍ବାରା ଉନ୍ନତ ଆଖୁ ଚାଷ ନିମନ୍ତେ ୨୭କୋଟି ଟଙ୍କା ଏବଂ ବଳଭଦ୍ର ଜୈବିକ ଚାଷ ମିଶନ ନିମନ୍ତେ ୨୮ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି।
କୃଷି ଉତ୍ପାଦକ କ୍ଲଷ୍ଟରଗୁଡ଼ିକୁ ସୁଦୃଢ଼ କରିବା ପାଇଁ ୩୮କୋଟି ଟଙ୍କା ବ୍ୟୟବରାଦ କରାଯାଇ ଥିବାବେଳେ ସ୍ବତନ୍ତ୍ର ଉଦ୍ୟାନ କୃଷି ଫସଲ-ନିର୍ଦିଷ୍ଟ ଯୋଜନା, ମସଲା ମିଶନ୍ ସମେତ ଆଳୁ ଚାଷର ଉନ୍ନୟନ ଏବଂ ଉଦ୍ୟାନ କୃଷି ମିଶନ ପ୍ଲସ ପାଇଁ ମୋଟ ୫ଶହ ୪୪କୋଟି ଟଙ୍କା ବ୍ୟୟ ପ୍ରସ୍ତାବ ରହିଛି। କେନ୍ଦ୍ର ପ୍ରବର୍ତ୍ତିତ ଯୋଜନା ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ଅଧୀନରେ ୧ଶହ ୬୦କୋଟି ଟଙ୍କା, କୃଷି ଯାନ୍ତ୍ରିକୀକରଣ ପାଇଁ କୃଷି ଯାନ୍ତ୍ରିକୀକରଣ ଉପ-ମିଶନ ଅଧୀନରେ ୨ଶହ ୫୦କୋଟି ଟଙ୍କା, କୃଷି ସମ୍ପ୍ରସାରଣ ଉପ-ମିଶନ ବାବଦକୁ ୧ ଶହ ୩୧ କୋଟି ଟଙ୍କା, ଜାତୀୟ ଖାଦ୍ୟ ସୁରକ୍ଷା ମିଶନ ଅଧୀନରେ ୨ ଶହ ୨କୋଟି ଟଙ୍କା, ତଥା ଉଦ୍ୟାନ କୃଷିର ସମନ୍ବିତ ବିକାଶ ମିଶନ ଅଧୀନରେ ୧ଶହ ୪ କୋଟି ଟଙ୍କା ରଖାଯାଇଛି। ମତ୍ସ୍ୟ ଏବଂ ପ୍ରାଣୀସମ୍ପଦ ବିକାଶ ପାଇଁ ୨ହଜାର ୧୯କୋଟି ଟଙ୍କା ଆବଣ୍ଟନ, ୧୦ ହଜାର ହେକ୍ଟରରୁ ଅଧିକ ପରିବେଶ ଅନୁକୂଳ ଜଳଚାଷକୁ ସମ୍ପ୍ରସାରଣ, ଚିଙ୍ଗୁଡ଼ି ରପ୍ତାନିକୁ ବାର୍ଷିକ ୨ ଲକ୍ଷ ଟନ୍ ବୃଦ୍ଧି କରି ୧୨ ହଜାର କୋଟି ଟଙ୍କା ଆୟ ଏବଂ ୨ଲକ୍ଷରୁ ଅଧିକ ଚାଷୀଙ୍କ ନିଯୁକ୍ତି, ତାଲିମ ଏବଂ ଉଚ୍ଚ ଆୟ ପାଇଁ ଓଡ଼ିଶା ଚିଙ୍ଗୁଡ଼ି ମିଶନର ଶୁଭାରମ୍ଭ କରାଯାଇଛି। ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା ଅଧୀନରେ ୨ଶହ ୧ କୋଟି ଟଙ୍କା ଆବଣ୍ଟନର ପ୍ରସ୍ତାବ ରହିଛି। ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ସହାୟତାରେ ଦୁଗ୍ଧ ଉତ୍ପାଦନ ବୃଦ୍ଧି କରିବା ପାଇଁ ୧ ଶହ ୫୯ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି। ପ୍ରାଣୀ ସମୃଦ୍ଧି ଯୋଜନାରେ ୧ ଶହ ୮୫ କୋଟି ଟଙ୍କାର ପ୍ରସ୍ତାବ। ମୟୂରଭଞ୍ଜ ଜିଲାରେ ଏକ ନୂତନ କୃଷି ମହାବିଦ୍ୟାଳୟ ପ୍ରତିଷ୍ଠା ପାଇଁ ୨୦ କୋଟି ଟଙ୍କାର ପ୍ରସ୍ତାବ ରହିଛି।
Powered by Froala Editor