ଛିଣ୍ଡିଗଲା ରୋପୱେ, ମହିଳା ମୃତ
ଛତିଶଗଡ଼ର ମହାସମୁନ୍ଦ ଜିଲ୍ଲାରେ ରୋପୱେ ଦୁର୍ଘଟଣା ଘଟି ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି । ମୃତ ମହିଳାଙ୍କ ନାଁ ଆୟୁଷି ସତକର । ସେ ରାୟପୁରର ବୋଲି ଜଣାପଡିଛି । ଦୁର୍ଘଟଣାରେ ଆହତ ଅନ୍ୟ ୭ ଜଣଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପାହାଡ଼ ଉପରେ ଥିବା ମନ୍ଦିରକୁ ନବରାତ୍ରି ପାଇଁ ଯାଇ ଫେରୁଥିବାବେଳେ ଏହି ଅଘଟଣ ଘଟିଛି । ରେପୱେରେ କେବୁଲ ଛିଡ଼ି ଟ୍ରଲି ଖସି ପଡ଼ିବା ଯୋଗୁଁ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିବାବେଳେ ୭ ଜଣ ଗୁରୁତର ହୋଇଛନ୍ତି । ଗୁରୁତର ଆହତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ସୂଚନା ଅନୁଯାୟୀ, ରବିବାର ବାଗବାହାରାର ଖାଲାରୀ ଗ୍ରାମରେ ଖାଲାରୀ ମାତା ମନ୍ଦିରକୁ ଶ୍ରଦ୍ଧାଳୁମାନେ ନବରାତ୍ରି ପୂଜା ପାଇଁ ଯାଇଥିଲେ । ସକାଳ ୧୦ଟା ସମୟରେ ମନ୍ଦିରରୁ ତଳକୁ ଆସୁଥିବା ଟ୍ରଲି କେବୁଲ ହଠାତ୍ ଛିଡ଼ି ଯାଇଥିଲା । ଦୁର୍ଘଟଣା ସମୟରେ ଟ୍ରଲିରେ ୮ ଜଣ ଲୋକ ଥିଲେ । ଏହି ଦୁର୍ଘଟଣାରେ ରାୟପୁରର ବାସିନ୍ଦା ଆୟୁଷି ସତକର (୨୮)ଙ୍କର ମୃତ୍ୟୁ ହୋଇଛି । ଅନ୍ୟ ଆହତଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ସେମାନଙ୍କର ଚିକିତ୍ସା ଚାଲିଛି । ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ ଦୁଘର୍ଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହିତ ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ରୋପୱେ ଦୁର୍ଘଟଣାର ତଦନ୍ତ କରି ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଦୁର୍ଘଟଣାର ପରେ କିଛି ଆହତଙ୍କ ସ୍ଥିତି ଖୁବ୍ ଗମ୍ଭୀର ବୋଲି କୁହାଯାଉଛି । ସ୍ଥାନୀୟ ପ୍ରଶାସନ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଁଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି । ଉଲ୍ଲେଖନୀୟ ଯେ, ଖଲ୍ଲାରି ମାତାଙ୍କ ମନ୍ଦିର ପ୍ରାୟ ୪୦୦୦ ଫୁଟ୍ ଉଚ୍ଚତାରେ ରହିଛି । ସେଠାରେ ପହଁଞ୍ଚିବା ପାଇଁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ରୋପୱେର ସାହାରା ନେଇଥାନ୍ତି ।
Powered by Froala Editor