ବିଷାକ୍ତ କ୍ଷୀର ନେଇଗଲା ୧୬ ଜଣଙ୍କ ଜୀବନ
ଆନ୍ଧ୍ର ପ୍ରଦେଶର ପୂର୍ବ ଗୋଦାବରି ଜିଲ୍ଲାରେ ବିଷାକ୍ତ କ୍ଷୀର ପିଇ ୧୬ ଜଣଙ୍କର ମୃତ୍ୟୁ ହୋଇଛି । ୩ଜଣଙ୍କ ଅବସ୍ଥା ଏବେବି ଗୁରୁତର ରହିଛି । ଲାଲାଚେରଭୁ, ଚୌଦେଶ୍ୱରନଗର ଏବଂ ସ୍ୱରୁପନଗର ଭଳି ଅଞ୍ଚଳରେ ଗତ ଫେବ୍ରୁଆରୀରୁ ଲୋକେ ଅସୁସ୍ଥ ହେବାରେ ଲାଗିଥିଲେ । କ୍ଷୀର ପିଇବା ପରେ ବାନ୍ତି, ପେଟ ଦରଜ, ପରିସ୍ରା ବନ୍ଦ ହେବା ଓ ଗମ୍ଭୀର କିଡ୍ନୀ ଫେଲ୍ୟୁଅର ଭଳି ଲକ୍ଷଣ ଦେଖିବାକୁ ମିଳିଛି ।
ସ୍ୱାସ୍ଥ୍ୟ ବିଭାଗର ତଦନ୍ତରୁ ଜଣାପଡିଛି ଯେ, ପୀଡିତଙ୍କ ରକ୍ତ ୟୁରିଆ ଏବଂ ସେରମ୍ କ୍ରିଏଟିନିନ୍ସ୍ତର ଅସ୍ୱାଭାବିକ ଭାବରେ ବଢୁଥିଲା, ଯାହା କିଡ୍ନୀକୁ ଗୁରୁତର କ୍ଷତି ପହଞ୍ଚାଉଥିଲା । ଏହି ଘଟଣା ପରେ, ପ୍ରଶାସନ ତୁରନ୍ତ କ୍ଷୀର ଯୋଗାଣ ବନ୍ଦ କରି ପ୍ରଭାବିତ ଅଞ୍ଚଳରେ ଘର ଘର ବୁଲି ସର୍ଭେ ଆରମ୍ଭ କରିଛି ।
ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି, ପ୍ରଶାସନ ସନ୍ଦିଗ୍ଧ କ୍ଷୀର ବିକ୍ରେତାଙ୍କୁ ଗିରଫ କରିଛି । ଖାଦ୍ୟ ସୁରକ୍ଷା ବିଭାଗ ଡେରୀ ୟୁନିଟ୍ରୁ କ୍ଷୀର, ଦହି, ଘିଅ ଏବଂ ପାଣିର ନମୁନା ସଂଗ୍ରହ କରିଥିବା ବେଳେ ପଶୁପାଳନ ବିଭାଗ ପଶୁ ଖାଦ୍ୟ ଏବଂ ପାଣିର ନମୁନା ସଂଗ୍ରହ କରିଛି । ପୁଲିସ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜୋରଦାର କରିଛି ।
ତଦନ୍ତରୁ ଜଣାପଡିଛି ଯେ ନରସାପୁରମ ଗାଁର ଏକ ସ୍ଥାନୀୟ ଦୁଗ୍ଧ ୟୁନିଟ୍ରୁ ଯୋଗାଣ ହେଉଥିବା କ୍ଷୀରରେ \"ଇଥିଲିନ୍ ଗ୍ଲାଇକଲ୍\' ନାମକ ଏକ ବିଷାକ୍ତ ରାସାୟନିକ ପଦାର୍ଥ ମିଶାଯାଇଥିଲା । ଏହି ପଦାର୍ଥ ସାଧାରଣତଃ ଆଣ୍ଟି-ଫ୍ରିଜ୍ ଏବଂ ଶୀତଳିକରଣରେ ବ୍ୟବହୃତ ହୁଏ । ଏହା ମାନବ ଶରୀର ପାଇଁ ଅତ୍ୟନ୍ତ କ୍ଷତିକାରକ । ଏହା ପଲିଷ୍ଟର ତନ୍ତୁ ଏବଂ ପ୍ଲାଷ୍ଟିକ୍ ଉତ୍ପାଦନରେ କଞ୍ଚାମାଲ ଭାବରେ ମଧ୍ୟ ବ୍ୟବହୃତ ହୁଏ, କିନ୍ତୁ ଅତ୍ୟଧିକ ବିଷାକ୍ତ ହୋଇଥିବାରୁ ଏହା ଶରୀର ପାଇଁ ବିପଜ୍ଜନକ । ଏହି ବିଷାକ୍ତ କ୍ଷୀର ସେବନ ଦ୍ୱାରା ପିଲା ଏବଂ ବୃଦ୍ଧଙ୍କ ସମେତ ୧୦୦ ରୁ ଅଧିକ ପରିବାର ପ୍ରଭାବିତ ହୋଇଥିଲେ ।
ବରିଷ୍ଠ ସ୍ୱାସ୍ଥ୍ୟ ଅଧିକାରୀମାନେ ଚିକିତ୍ସା ଉପରେ ନଜର ରଖିଛନ୍ତି ଏବଂ ରାପିଡ୍ ରେସପନ୍ସ ଟିମ୍ ନିରନ୍ତର ଲୋକଙ୍କ ପରୀକ୍ଷା କରୁଛନ୍ତି ।
Powered by Froala Editor