ସବୁ ବର୍ଗର ଲୋକଙ୍କ ଆଶା ଓ ଆକାଂକ୍ଷାକୁ ପୂରଣ କରିବ ବଜେଟ୍ : ଧର୍ମେନ୍ଦ୍ର
ଭୁବନେଶ୍ୱର: ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଓଡ଼ିଶା ବିଧାନସଭାରେ ଉପସ୍ଥାପିତ ପ୍ରାୟ ୩ ଲକ୍ଷ ୧୦ ହଜାର କୋଟି ଟଙ୍କାର ବଜେଟ୍ ‘ବିକଶିତ ଓଡ଼ିଶା’ ପାଇଁ କଲ୍ୟାଣକାରୀ ଓ ଦୂରଦର୍ଶୀ ବଜେଟ୍। ଏହା ଓଡ଼ିଶାର ଶିକ୍ଷା, ଦକ୍ଷତା, ଶିଳ୍ପ, କୃଷି ଓ ପର୍ଯ୍ୟଟନ ଭିତ୍ତିଭୂମିର ବିକାଶ ସହ ସବୁ ବର୍ଗର ଲୋକଙ୍କ ଆଶା ଓ ଆକାଂକ୍ଷାକୁ ପୂରଣ କରିବ ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଚଳିତ ବଜେଟରୁ ରାଜ୍ୟର ଗରିବ, ଚାଷୀ, ମହିଳା, ଯୁବ, ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଓ ବଞ୍ଚିତ ବର୍ଗର ଲୋକମାନେ ବିଶେଷ ଭାବେ ଉପକୃତ ହେବେ।
ଚଳିତ ବଜେଟରେ ଜାତୀୟ ଶିକ୍ଷା ନୀତି-୨୦୨୦ ଆଧାରରେ କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ ଓ ଝାରସୁଗୁଡା ଜିଲାରେ ନୂତନ ବିଶ୍ୱବିଦ୍ୟାଳୟ ସ୍ଥାପନ କରିବା, ପାରାଦ୍ବୀପ ଓ ବଲାଙ୍ଗିରରେ ଦୁଇଟି ନୂତନ ସରକାରୀ ଇଞ୍ଜିନିୟରିଂ କଲେଜ୍, ଚିପିଲିମାରେ ପଶୁଚିକିତ୍ସା ବିଜ୍ଞାନ ମହାବିଦ୍ୟାଳୟ ଏବଂ ସମ୍ବଲପୁର ଓ ବ୍ରହ୍ମପୁରରେ ୨୭୮ କୋଟି ଟଙ୍କା ବିନିଯୋଗରେ ‘ବିଶ୍ୱ ଦକ୍ଷତା କେନ୍ଦ୍ର’ର ଦୁଇଟି ନୂତନ କ୍ୟାମ୍ପସ ପ୍ରତିଷ୍ଠା କରିବା ପାଇଁ ଘୋଷଣା ହୋଇଛି। ଏସସିବି, ଭିମସାର ଓ ଏମକେସିଜି ମେଡିକାଲର ପୁନଃର୍ବିକାଶ ସହ ନୟାଗଡ଼ ଓ ଖୋର୍ଦ୍ଧାଠାରେ ଫାର୍ମା ଓ ମେଡଟେକ୍ ପାର୍କ ସହ ଓଡ଼ିଶା ବାୟୋଟେକ୍ନୋଲୋଜି ରିସର୍ଚ୍ଚ ସେଣ୍ଟର ପ୍ରତିଷ୍ଠା କରାଯିବ।
Powered by Froala Editor