ବିଧାନସଭା ବାହାରେ କାଦୁଅ ଫିଙ୍ଗା ରାଜନୀତି ଆରମ୍ଭ
ଭୁବନେଶ୍ବର: ମଣ୍ଡିରେ ଚାଷୀଙ୍କ ପାଖରୁ ଧାନ କିଣିବାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି ବିରୋଧୀ ବିଜେଡି ଓ କଂଗ୍ରେସ ଅଭିଯୋଗ ଆଣି ଦୁଇଦିନ ହେଲା ବିଧାନସଭାରେ ହଟ୍ଟଗୋଳ ଜାରି ରଖିଛନ୍ତି। ଧାନ ତାତି ବିଧାନସଭାକୁ ଉଷ୍ମ କରିଥିବାବେଳେ ବାହାରେ ମଧ୍ୟ ରାଜନୀତି ତେଜିଛି। ଏହାକୁ ନେଇ ବିଧାନସଭା ବାହାରେ କାଦୁଅ ଫିଙ୍ଗା ରାଜନୀତି ଆରମ୍ଭ ହୋଇଛି। ଚାଷୀଙ୍କ ପ୍ରସଙ୍ଗରେ ସରକାର ଗୃହରେ ଅସତ୍ୟ ତଥ୍ୟ ରଖୁଥିବା ଏବଂ ବିଧାନସଭା ଚଳାଇବା ପାଇଁ ସରକାରଙ୍କ ଆନ୍ତରିକତା ନାହିଁ ବୋଲି ବିଜେଡି ଅଭିଯୋଗ ଆଣିଛି। ସେପଟେ ଚାଷୀଙ୍କ ସମସ୍ୟା ଶୁଣିବାକୁ ସରକାର ପ୍ରସ୍ତୁତ ନାହାନ୍ତି ବୋଲି କଂଗ୍ରେସ କହିଛି। ଅନ୍ୟପଟେ ବିରୋଧୀଙ୍କୁ ବିରୋଧ କରିବାର ଶୈଳୀ ଜଣାନାହିଁ କହି ବିଜେଡି ଏବଂ କଂଗ୍ରେସ ରଣନୀତିକୁ ସମାଲୋଚନା କରିଛି ବିଜେପି।
ବିଜେପି ବିଧାୟକ ଜୟନାରାୟଣ ମିଶ୍ର କଂଗ୍ରେସ ଅପେକ୍ଷା ବିଜେଡି ଉପରେ ପ୍ରବଳ ବର୍ଷିଛନ୍ତି। ବିଜେଡିକୁ ବିରୋଧ କରିବାର ତରିକା ଶିଖାଇଛନ୍ତି। ବିଜେଡିକୁ ସମାଲୋଚନା କରି ସେ କହିଲେ, ବିରୋଧୀ ବିଜେଡି ଓ କଂଗ୍ରେସଙ୍କୁ ସରକାରଙ୍କୁ ବିରୋଧ କରିବା ଏବଂ ସମାଲୋଚନା କରିବାର ଶୈଳୀ ଜଣାନାହିଁ। ରାଜ୍ୟ ସରକାରଙ୍କୁ କେବଳ ଧାନ ସମସ୍ୟା ନୁହେଁ, ବିଭିନ୍ନ କ୍ଷେତ୍ରରେ ସମାଲୋଚନା କରିପାରିଥାନ୍ତୋ। ତାହା ନକରି ଧାନ ସଂଗ୍ରହ ଅବ୍ୟବସ୍ଥା ପ୍ରସଙ୍ଗ ଉଠାଇ ଦୁଇଦିନ ହେଲା ଗୃହରେ ହଟ୍ଟଗୋଳ କରୁଛନ୍ତି ଏବଂ ଗୃହ ଅଚଳ ହେଉଛି। ଏହାଦ୍ବାରା ସରକାର ଲାଭବାନ ହେଉଛନ୍ତି। କାରଣ ସରକାରଙ୍କୁ ଆଉ ବିଭିନ୍ନ କ୍ଷେତ୍ରରେ ସମାଲୋଚିତ ହେବାକୁ ପଡୁନି କି ସ୍ପଷ୍ଟୀକରଣ ରଖିବାକୁ ପଡୁନି। ବିଜେଡି ୨୪ ବର୍ଷ ଭିତରେ ୧୦୦ଟଙ୍କା ଚାଷୀଙ୍କୁ ବୋନସ ଦେଇପାରିଲା ନାହିଁ। ପୂର୍ବ ସରକାର ଅମଳରେ କଟ୍ନୀ-ଛଟ୍ନୀ ବ୍ୟବସ୍ଥା ଆରମ୍ଭ ହୋଇଛି। ବିଜେପି ନିର୍ବାଚନ ଇସ୍ତାହାରରେ ଦର୍ଶାଇଥିଲା, ସରକାରକୁ ଆସିଲେ ଚାଷୀଙ୍କ ପାଖରୁ କୁଇଣ୍ଟାଲ ପିଛା ୩୧ଶହ ଟଙ୍କାରେ ଧାନ କିଣିବ ଏବଂ ସରକାରକୁ ଆସିବା ପରେ ଏହା ପୂରଣ କରିଛି। କେନ୍ଦ୍ର ସରକାର ଏମ୍ଏସ୍ପି ବଢ଼ାଇଲେ କ’ଣ ହେଲା, ପ୍ରତିଶ୍ରୁତି ଅନୁସାରେ ଧାନ କିଣାଯାଉଛି। ଚାଷୀ ଆନ୍ଦୋଳନ ନେଇ ସେ କହିଛନ୍ତି, ବିଜେଡି ସାଙ୍ଗରେ କୌଣସି ଚାଷୀ ନାହାନ୍ତି।
Powered by Froala Editor