+୨ ପରୀକ୍ଷା ଆଜିଠୁ ଆରମ୍ଭ, ପରୀକ୍ଷାକୁ ଅବାଧ ଓ ତ୍ରୁଟିଶୂନ୍ୟ କରିବାକୁ ହୋଇଛି ଏହିସବୁ ବ୍ୟବସ୍ଥା
ଭୁବନେଶ୍ବର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍ଏସ୍ଇ) ଦ୍ବାରା ପରିଚାଳିତ +୨ ଥିଓରୀ ପରୀକ୍ଷା ବୁଧବାରଠୁ ଆରମ୍ଭ ହେଉଛି। ପ୍ରଥମ ଦିନ +୨ ବିଜ୍ଞାନର ମାତୃଭାଷା (ଏମ୍ଆଇଏଲ) ଓଡ଼ିଆ ବିଷୟର ପରୀକ୍ଷା ରହିଛି। ପ୍ରଥମ ଦିନ ୯୬,୬୨୯ ଛାତ୍ରଛାତ୍ରୀ +୨ ବିଜ୍ଞାନ ପରୀକ୍ଷା ଦେବେ। ସୂଚନା ଅନୁଯାୟୀ, ପରୀକ୍ଷା ପରିଚାଳନା ହବ୍ରେ ଥିବା ପ୍ରଶ୍ନପତ୍ର ପରୀକ୍ଷା ଦିନ କେନ୍ଦ୍ରରେ ପୂର୍ବାହ୍ନ ୮ଟା ୩୦ ସୁଦ୍ଧା ପହଞ୍ଚିବ। ପୂର୍ବାହ୍ଣ ୯ଟା ୩୦ରେ ପ୍ରଶ୍ନପତ୍ର ପ୍ୟାକେଟ୍ ଖୋଲାଯିବ। ପୂର୍ବାହ୍ନ ୧୦ଟାରୁ ପରୀକ୍ଷା ଆରମ୍ଭ ହେବ। ପ୍ରଥମ ଦିନ ବିଜ୍ଞାନର ମାତୃଭାଷା ଓଡ଼ିଆ ଥିବାବେଳେ ୧୯ରେ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ପରୀକ୍ଷା ଆରମ୍ଭ ହେବ।
ଚଳିତ ବର୍ଷ କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ଶିକ୍ଷାରେ ମୋଟ ୪ ଲକ୍ଷ ୧ ହଜାର ୬୨୩ ଛାତ୍ରଛାତ୍ରୀ +୨ ପରୀକ୍ଷା ଦେବାକୁ ଫର୍ମପୂରଣ କରିଛନ୍ତି। ମୋଟ ୨୧୧ ପରୀକ୍ଷା ପରିଚାଳନା ହବ୍ରେ କୃତ୍ରିମ ବୁଦ୍ଧିମତା (ଏଆଇ) ସୁରକ୍ଷାରେ ପ୍ରଶ୍ନପତ୍ର ରହିଛି। ୧୩୫୭ କେନ୍ଦ୍ର ସହ ୭ଟି ଉପକେନ୍ଦ୍ରକୁ ମିଶାଇ ମୋଟ ୧୩୬୪ କେନ୍ଦ୍ରରେ ପରୀକ୍ଷା ହେବ। କପି ରୋକିବାକୁ ପରୀକ୍ଷା କେନ୍ଦ୍ରରେ ସିସି କ୍ୟାମେରା ଲାଗିଥିବାବେଳେ ପଞ୍ଚସ୍ତରୀୟ ସ୍କ୍ବାଡ୍ ଗଠନ କରାଯାଇଛି। ପରୀକ୍ଷାର୍ଥୀ କେବଳ କଳା ବଲ୍ ପଏଣ୍ଟ କଲମରେ ଉତ୍ତର ଲେଖି ପାରିବେ। କେବଳ ସଫା ଦେଖା ଯାଉଥିବା ପାଣି ବୋତଲ ଆଣିପାରିବେ। ପରୀକ୍ଷା ସମୟ ସରିବା ପୂର୍ବରୁ ଖାତା ଦେଉଥିବା ଛାତ୍ରଛାତ୍ରୀ ପ୍ରଶ୍ନପତ୍ର ନେଇପାରିବେ ନାହିଁ। ୩ ଘଣ୍ଟା ପରେ ଛାତ୍ରଛାତ୍ରୀ ପ୍ରଶ୍ନପତ୍ର ସାଙ୍ଗରେ ନେଇ ଯାଇପାରିବେ। ପରୀକ୍ଷା ନିୟନ୍ତ୍ରକ ଡ. ପ୍ରଶାନ୍ତ କୁମାର ପରିଡ଼ା କହିଛନ୍ତି, ପରୀକ୍ଷାକୁ ଅବାଧ ଓ ତ୍ରୁଟିଶୂନ୍ୟ କରିବାକୁ ସବୁ ବ୍ୟବସ୍ଥା କରାଯାଇଛି।
Powered by Froala Editor