ପବିତ୍ର ମାଘ ପୂର୍ଣ୍ଣମୀରେ ଶ୍ରୀବିଗ୍ରହଙ୍କ ଗଜୋଦ୍ଧାରଣ ବେଶ
ପୁରୀ: ଆସନ୍ତା ୧ ତାରିଖ ରବିବାର ପବିତ୍ର ମାଘ ପୂର୍ଣ୍ଣମୀରେ ଶ୍ରୀବିଗ୍ରହଙ୍କ ଗଜୋଦ୍ଧାରଣ ବେଶ ଅନୁଷ୍ଠିତ ହେବ । ଶ୍ରୀମନ୍ଦିର ନୀଳାଦ୍ରି ମ୍ୟୁଜିୟମ୍ରେ ବେଶ ପ୍ରସ୍ତୁତି ଶେଷ ହେଉଛି । ପ୍ରମୁଖ ସୋଲ କାରିଗରଙ୍କ ସମେତ ଦର୍ଜୀ ଓ ଚିତ୍ରକର ସେବକ ଠାକୁରଙ୍କ କାର୍ୟ୍ୟରେ ଲାଗିଛନ୍ତି । ଠାକୁରଙ୍କ ଶ୍ରୀହସ୍ତ ପଦ ଆଦି ବେଶଭୂଷା ତିଆରି ଶେଷ ପ୍ରାୟ ।
ବଡ଼ ମନଲୋଭା ଠାକୁରଙ୍କ ଏହି ବେଶ । ମହାପ୍ରଭୁ ଶ୍ରୀଜଗନ୍ନାଥ ଚର୍ତୁଭୁଜ ହୋଇ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ଲାଗି ହୋଇ ଗରୁଡ଼ ଉପରେ ବସିବା ଭଙ୍ଗୀରେ ଲକ୍ଷ୍ମୀ ପ୍ରତିମାଙ୍କୁ କୋଳରେ ଧାରଣ କରିଥିବେ । ସମ୍ମୁଖରେ ଦୁଇ ହସ୍ତୀ ଶୁଣ୍ଢରେ ପଦ୍ମକଢ଼ି ଧରି ଦଣ୍ଡାୟମାନ ଥିବେ । ସିଂହାସନ ତଳକୁ ହାତୀ ଓ କୁମ୍ଭୀର ସଜ୍ଜା ହୋଇଥିବେ । କୁମ୍ଭୀର ହାତୀକୁ ଆକ୍ରମଣ କରିବା ସମୟରେ ଗଜରାଜ ଉଦ୍ଧାର ପାଇଁ ଭଗବାନଙ୍କ ଶରଣ ପଶିବା ଭଙ୍ଗୀରେ ରହିଥିବେ । ଶ୍ରୀବଳଭଦ୍ର ଶଙ୍ଖ, ଚକ୍ର, ହଳ ଓ ମୂଷଳ ଧାରଣ କରି ବାସୁଦେବଙ୍କ ରୂପରେ ବିରାଜମାନ ହେବେ । ଦେବୀ ସୁଭଦ୍ରା ଶ୍ରୀକୃଷ୍ଣଙ୍କ ସଦୃଶ ପାଦଛନ୍ଦି ଏକ ପଦ୍ମ କଢ଼ଧରି ଦଣ୍ଡାୟମାନ ଥିବେ ।
Powered by Froala Editor