ଭୟଙ୍କର ଅଗ୍ନିକାଣ୍ଡ: ୟୁନିଟ-୧ ହାଟର ୫୦ରୁ ଅଧିକ ଦୋକାନ ଜଳିପୋଡି ଛାରଖାର
ଭୁବନେଶ୍ବର: ରାଜଧାନୀରେ ସୋମବାର ବିଳମ୍ବିିତ ରାତିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ନିଆଁରେ ୟୁନିଟ-୧ ହାଟର ୫୦ରୁ ଅଧିକ ଦୋକାନ ଘର ଜଳିପୋଡି ଛାରଖାର ହୋଇଯାଇଛି। ଏଥିରେ କୋଟିକୋଟି ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଇଛି। ନିଆଁକୁ ନିୟନ୍ତ୍ରଣ କରିବା ଲାଗି ୮ରୁ ଅଧିକ ଅଗ୍ନିଶମ ଗାଡ଼ି ଓ ଶତାଧିକ କର୍ମଚାରୀ ବିଫଳ ହୋଇଥିଲେ। ଯେତେ ପାଣିମାଡ଼ କଲେ ମଧ୍ୟ ନିଆଁର ପ୍ରଖରତା ଥମି ନଥିଲା। ନିଆଁ ଏତେ ତୀବ୍ର ରହିଥିଲା ଯେ ସ୍ଥାନୀୟ ଲୋକେ ଆତଙ୍କିତ ହୋଇପଡ଼ିଥିଲେ। ଶେଷରେ ରୋବଟ୍ ସହାୟତାରେ ନିଆଁକୁ ଆୟତ୍ତ କରିବାରେ ସକ୍ଷମ ହୋଇଥିଲା। ଦମକଳ ବାହିନୀର ଗୋଟିଏ ପରେ ଗୋଟିଏ ଗାଡ଼ି ପାଣି ବୋହିବାରେ ଲାଗିଥିଲା। କେତେକ ବଡ଼ବଡ଼ ଗଛ ମଧ୍ୟ ନିଆଁରେ ଜଳିଯାଇଛି।
ରାତି ପ୍ରାୟ ସାଢ଼େ ୧ଟାରେ ୟୁନିଟ୍-୧ ମାର୍କେଟର କ୍ୟାପିଟାଲ ଥାନା ପାଚେରିକୁ ଲାଗିଥିବା ଦୋକାନରୁ ନିଆଁ ଆରମ୍ଭ ହୋଇଥିଲା। ଖବର ପାଇ ଦମକଳ ବାହିନୀ ପହଞ୍ଚିଥିଲା। ହେଲେ ଦୋକାନରେ ଥିବା ଶୁଖିଲା ସାମଗ୍ରୀ ହୁତୁହୁତୁ ହୋଇ ଜଳିଥିଲା। ଦୋକାନ ଗୁଡ଼ିକରେ ଥିବା ଗ୍ୟାସ୍ ଟାଙ୍କି ଫାଟିବା ଯୋଗୁ ନିଆଁକୁ ନିୟନ୍ତ୍ରଣ କରିବାରେ ସମସ୍ୟା ସୃଷ୍ଟି କରିଥିଲା। ନିଆଁକୁ ନିୟନ୍ତ୍ରଣ କରିବା ଲାଗି ରାସ୍ତା ପାର୍ଶ୍ବ ଓ ଭିତର ପଟରୁ ମଧ୍ୟ ପାଣିମାଡ଼ କରାଯାଇଥିଲା। ନିଆଁକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଅଗ୍ନିଶମ ବାହିନୀକୁ ଘଣ୍ଟାରୁ ଅଧିକ ସମୟ ଲାଗିଥିଲା। ବିଳମ୍ବିତ ରାତି ୨ଟା ୩୬ ମିନିଟ୍ରେ ନିଆଁକୁ ଆୟତ୍ତ କରାଯାଇଥିଲା।
Powered by Froala Editor