ମା’ର ମମତା : ସହିଦ ପୁଅ ପ୍ରତିମୂର୍ତ୍ତିରେ କମ୍ବଳ ଘୋଡେଇଲେ
ଜମ୍ମୁ-କାଶ୍ମୀରରେ ହାଡ଼ଭଙ୍ଗା ଶୀତ । ଏହି ସ୍ଥିତିରେ ଜଣେ ମା’ ସହୀଦ୍ ପୁଅକୁ କାଳେ ଶୀତ ଲାଗିବ ବୋଲି ପ୍ରତିମୂର୍ତ୍ତିରେ କମ୍ବଳ ଘୋଡ଼ାଇ ଦେଇଛନ୍ତି ’। ସୋସିଆଲ ମିଡିଆରେ ଏହି ଭିଡ଼ିଓ ଭାଇରାଲ ହେଉଛି । ଯିଏ ବି ଦେଖୁଛନ୍ତି ସମସ୍ତଙ୍କ ଆଖିରେ ଲୁହ ଆସିଯାଉଛି ।
ଆର୍ଏସ୍ ପୁରା ବାସିନ୍ଦା ସହିଦ ଗୁରନାମ ସିଂହଙ୍କ ପାଇଁ ଏହା କେବଳ ଶ୍ରଦ୍ଧାଞ୍ଜଳି ନୁହେଁ । ଜଣେ ମା’ର ଦାୟିତ୍ୱ ଯେ ଶୀତରେ ଯେମିତି ତାଙ୍କ ପୁଅ ଥଣ୍ଡା ଅନୁଭବ ନ କରୁ । କାରଣ ଯଶୱନ୍ତ ନିଜ ସହିଦ ପୁଅର ଉପସ୍ଥିତିକୁ ସର୍ବଦା ଅନୁଭବ କରୁଛନ୍ତି । ବିଏସ୍ଏଫ୍ କନ୍ଷ୍ଟେବଳ ଗୁରନାମ ସିଂହଙ୍କ ମା’ଯଶୱନ୍ତ କୌରଙ୍କର ପୁଅ ପ୍ରତି ଭଲପାଇବା ଦେଶବାସୀଙ୍କ ମନ କିଣିଛି । ସହିଦ ପୁଅର ମୂର୍ତ୍ତିକୁ ସେ କମ୍ବଳ ଘୋଡ଼ାଉଥିବାର ଭିଡିଓ ଭାଇରାଲ ହେଉଛି ।
ମା’ଯଶୱନ୍ତ କୌର କଣ୍ଠରୁଦ୍ଧ ସ୍ୱରରେ କହିଛନ୍ତି, ମୁଁ ଜଣେ ମା’ । ଏହି ହାଡ଼ଭଙ୍ଗା ଶୀତରେ ଆମେ ନିଜକୁ ଗରମ ରଖିବାକୁ ମୋଟା ପୋଷାକ, ଶୀତବସ୍ତ୍ର ଆଦି ପିନ୍ଧୁଛୁ । ମୁଁ ମୋ ପୁଅକୁ ଏଭଳି ଥଣ୍ଡାରେ ଖାଲି ଦେହରେ କେମିତି ଛାଡ଼ିଦେବି? ’ତାଙ୍କ ପାଇଁ ଏହି ମୂର୍ତ୍ତି ଦେଶ ସେବାରେ ପ୍ରାଣ ହରାଇଥିବା ଜଣେ ସୈନ୍ୟର ସ୍ମାରକୀ ନୁହେଁ, ଏକ ଜୀବନ୍ତ ଉପସ୍ଥିତି । ପିଲାଙ୍କ ପାଇଁ ମା' ସବୁବେଳେ ମା' ।
Powered by Froala Editor