ଓସ୍କାର ରେସ୍ରେ ‘କାନ୍ତାରା-୧’, ‘ତନ୍ଭି ଦ ଗ୍ରେଟ୍’
୯୮ତମ ଏକାଡେମୀ ଆୱାର୍ଡସ୍ (ଓସ୍କାର)ସମାରୋହ ଭାରତୀୟ ସିନେମା ପାଇଁ ଐତିହାସିକ ମୁହୂର୍ତ୍ତ ହେବ । ସଦ୍ୟ ରିପୋର୍ଟ ଅନୁସାରେ, ଓସ୍କାର-୨୦୨୬ରେ ଶ୍ରେଷ୍ଠ ଚଳଚ୍ଚିତ୍ର ବିଭାଗରେ ନୋମିନେସନ୍ ପାଇଁ ୨୦୧ ଫିଚର୍ ଫିଲ୍ମ ତାଲିକାରେ ଦୁଇଟି ଭାରତୀୟ ଫିଲ୍ମ ସ୍ଥାନ ପାଇଛି । ଋଷଭ ଶେଟ୍ଟୀଙ୍କ ‘କାନ୍ତାରା: ଏ ଲିଜେଣ୍ଡ୍- ଭାଗ-୧’ ଓ ଅନୁପମ ଖେର୍ଙ୍କ ‘ତନ୍ଭି ଦ ଗ୍ରେଟ୍’ ଓସ୍କାର ନୋମିନେସନ୍ ପାଇଁ ରେସ୍ରେ ଏଣ୍ଟ୍ରି କରିଛି ।
ଦି ଏକାଡେମୀ ଅଫ୍ ମୋଶନ ପିକ୍ସର ଆଟର୍ସ ଆଣ୍ଡ ସାଇନ୍ସ ପକ୍ଷରୁ ଏହା ଘୋଷଣା କରାଯାଇଛି। ୯୮ତମ ଏକାଡେମୀ ପୁରସ୍କାର ପାଇଁ ଯୋଗ୍ୟ ଚଳଚ୍ଚିତ୍ରଗୁଡ଼ିକର ତାଲିକା ଗୁରୁବାର ପ୍ରକାଶ ପାଇଥିଲା। ଆସନ୍ତା ୨୨ରେ ନାମାଙ୍କନ ଘୋଷଣା ହେବ। ୯୮ତମ ଏକାଡେମୀ ପୁରସ୍କାର ପାଇଁ ମୋଟ ୩୧୭ ଫିଚର ଫିଲ୍ମ ଯୋଗ୍ୟ ବିବେଚିତ ହୋଇଥିବାବେଳେ ସେଥିରୁ ୨୦୧ଟି ଚଳଚ୍ଚିତ୍ର ଶ୍ରେଷ୍ଠ ଚଳଚ୍ଚିତ୍ର ବର୍ଗରେ ଅତିରିକ୍ତ ଯୋଗ୍ୟତା ମାନଦଣ୍ଡ ପୂରଣ କରିଛନ୍ତି। ଅନୁପମ୍ ଖେର୍ଙ୍କ ନିର୍ଦ୍ଦେଶିତ ବହୁଭାଷୀ ଆନିମେଟେଡ୍ ଚଳଚ୍ଚିତ୍ର ‘ମହାବତାର ନରସିଂହା’ ଏବଂ ପ୍ରଥମ ଥର ଫିଲ୍ମ ନିର୍ମାତା ହୋଇଥିବା ଅବିଶାନ ଜୀବିନ୍ଥଙ୍କ ତାମିଲ ଟାଇଟଲ୍ ‘ଟୁରିଷ୍ଟ ଫାମିଲି’ ଏବଂ ରାଧିକା ଆପ୍ଟେ ଅଭିନୀତ ‘ସିଷ୍ଟର ମିଡ୍ନାଇଟ୍’ ଶ୍ରେଷ୍ଠ ଚଳଚ୍ଚିତ୍ର ପ୍ରତିଯୋଗିତାରେ ଭାଗ ନେବା ପାଇଁ ଯୋଗ୍ୟତା ଅର୍ଜନ କରିଛି।
ଏ ସମସ୍ତ ଫିଲ୍ମ ଓସ୍କାର ଦୌଡ଼ରେ ସାମିଲ ହେବା ପାଇଁ ଆବଶ୍ୟକ ସମସ୍ତ ମାନଦଣ୍ଡ ପୂରଣ କରିଛନ୍ତି । ତନ୍ମଧ୍ୟରେ ଉଭୟ ‘କାନ୍ତାରା-୧’ ଓ ‘ତନ୍ଭି ଦ ଗ୍ରେଟ୍’ ଏହି ଆବଶ୍ୟକତା ପୂରଣ କରି ବିଶ୍ୱ ମଞ୍ଚରେ ମଜଭୁତ ପ୍ରତିଯୋଗୀ ଭାବେ ଉଭା ହୋଇଛନ୍ତି । ଆସନ୍ତା ୨୨ ତାରିଖରେ ଓସ୍କାର ନୋମିନେସନ୍ ଘୋଷଣା ହେବ । ମାର୍ଚ୍ଚ ୧୬ ତାରିଖରେ ସମାରୋହ ଆୟୋଜିତ ହେବ।
Powered by Froala Editor