ଆମେ ଦେଶରେ ନିଆଁ ଲଗାଇବାକୁ କାହାକୁ ଅନୁମତି ଦେବୁ ନାହିଁ: ଇରାନ
ୱାସିଂଟନ: ଇରାନରେ ମୁଦ୍ରାସ୍ଫୀତି ଓ ସ୍ଥାନୀୟ ମୁଦ୍ରାର ମୂଲ୍ୟ ହ୍ରାସକୁ ନେଇ ଚାଲିଥିବା ସରକାର ବିରୋଧୀ ପ୍ରତିବାଦ ଏବେ ସାରା ଦେଶରେ ଭୟଙ୍କର ଆକାର ନେଇଛି। ତୃତୀୟ ସପ୍ତାହରେ ପ୍ରବେଶ କରିଥିବା ଏହି ଆନ୍ଦୋଳନ ଦେଶର ରାଜନୈତିକ ସ୍ଥିରତାକୁ ଦୋହଲାଇ ଦେଇଛି। ଏପରି ସମୟରେ ଆମେରିକାର କଡ଼ା ବିବୃତି ଏବଂ ଧମକ ଇରାନ, ଆମେରିକା ମଧ୍ୟରେ ଉତ୍ତେଜନାକୁ ଆହୁରି ବଢ଼ାଇ ଚାଲିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଦର୍ଶନକାରୀଙ୍କ ଉପରେ ବଳ ପ୍ରୟୋଗ ହେଲେ ସାମରିକ କାର୍ଯ୍ୟାନୁଷ୍ଠାନର ଧମକ ଦେଉଛନ୍ତି। ସେ ଏହି ପ୍ରତିବାଦକୁ ସ୍ୱାଧୀନତା ପାଇଁ ଆନ୍ଦୋଳନ ବୋଲି କହିବା ସହ ଇରାନବାସୀଙ୍କୁ ସମର୍ଥନ ଜଣାଇଛନ୍ତି। ଏହାର ପ୍ରତିକ୍ରିୟାରେ ଇରାନ ସରକାର କଡ଼ା ଶବ୍ଦରେ ଚେତାବନୀ ଦେଇ କହିଛି, ଆମେରିକା ଆକ୍ରମଣ କଲେ ଇରାନ ସେନା ଜୋରଦାର ପ୍ରତିଶୋଧ ନେବ।
ଇରାନ ସଂସଦ ବାଚସ୍ପତି ସ୍ପଷ୍ଟ କରିଛନ୍ତି ଯେ, ଆକ୍ରମଣ ହେଲେ ଇସ୍ରାଏଲୀ ଓ ଆମେରିକୀୟ ସାମରିକ ଉପସ୍ଥିତି ସହ ସମ୍ପୃକ୍ତ ଅଞ୍ଚଳରେ ଥିବା ଜାହାଜ ପ୍ରତିଷ୍ଠାନଗୁଡ଼ିକୁ ଟାର୍ଗେଟ କରାଯିବ। ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖେମିନି, ଇରାନ ସେନା ଏବଂ ଅନ୍ୟାନ୍ୟ ନେତାମାନେ ମଧ୍ୟ ସରକାର ବିରୋଧୀ ପ୍ରଦର୍ଶନକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏବଂ ତେହେରାନର କର୍ତ୍ତୃତ୍ୱକୁ ସୁରକ୍ଷା ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି।
ଅନ୍ୟପଟେ, ଇରାନ ରାଷ୍ଟ୍ରପତି ମାସୁଦ ପେଜେଶକିୟାନ ଏକ ସମତୁଳିତ ମନ୍ତବ୍ୟ ଦେଇ କହିଛନ୍ତି, ସରକାର ଲୋକଙ୍କ ଅଭିଯୋଗ ଶୁଣିବାକୁ ପ୍ରସ୍ତୁତ, କିନ୍ତୁ ଦଙ୍ଗା ଓ ହିଂସାକୁ କେବେ ମଧ୍ୟ ସହ୍ୟ ଦିଆଯିବ ନାହିଁ। ଆମେ ଦେଶରେ ନିଆଁ ଲଗାଇବାକୁ କାହାକୁ ଅନୁମତି ଦେବୁ ନାହିଁ।
Powered by Froala Editor