ପରଲୋକରେ ପ୍ରସିଦ୍ଧ ଗାୟକ ପ୍ରଶାନ୍ତ ତମାଙ୍ଗ
ନୂଆଦିଲ୍ଲୀ: ୨୦୦୭ରେ ‘ଇଣ୍ଡିଆନ୍ ଆଇଡଲ୍ ସିଜନ-୩’ର ବିଜେତା ହୋଇ ଲକ୍ଷ ଲକ୍ଷ ଲୋକଙ୍କ ହୃଦୟ ଜିଣିଥିବା ପ୍ରସିଦ୍ଧ ଗାୟକ ପ୍ରଶାନ୍ତ ତମାଙ୍ଗ ଆଉ ନାହାନ୍ତି । ରବିବାର ନୂଆଦିଲ୍ଲୀର ଜନକପୁରୀସ୍ଥିତ ବାସଭବନରେ ତାଙ୍କର ଅକାଳ ବିୟୋଗ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୪୩ ବର୍ଷ ହୋଇଥିଲା । ହୃଦ୍ଘାତରେ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି । ନିକଟରେ ପ୍ରଶାନ୍ତ ଅରୁଣାଚଳ ପ୍ରଦେଶରେ ଏକ ସଙ୍ଗୀତ କାର୍ଯ୍ୟକ୍ରମରେ ଯୋଗଦେବା ପରେ ରାଜଧାନୀକୁ ଫେରିଥିଲେ । ସେ କୌଣସି ବଡ଼ ରୋଗରେ ପୀଡ଼ିତ ନ ଥିଲେ । ତାଙ୍କର ପତ୍ନୀ ଓ ଝିଅ ଅଛନ୍ତି । ପ୍ରଶାନ୍ତ କୋଲକାତା ପୁଲିସରେ ଜଣେ କନଷ୍ଟେବଳ ଭାବେ କର୍ମମୟ ଜୀବନ ଆରମ୍ଭ କରିଥିଲେ । ପରେ ସଙ୍ଗୀତ ଦୁନିଆରେ ଚମତ୍କାର ପ୍ରଦର୍ଶନ କରି ସମଗ୍ର ଦକ୍ଷିଣ ଏସିଆରେ ନାଁ କମାଇଥିଲେ । ତାଙ୍କ ଜୀବନ ଯାତ୍ରା ଅନେକଙ୍କ ପାଇଁ ପ୍ରେରଣା ସାଜିଥିଲା ।
Powered by Froala Editor