୧୨ରୁ ୧୭ବର୍ଷୀୟ ପିଲାମାନଙ୍କୁ ଦିଆଯିବ ଟିକା

ପ୍ରାଣଘାତକ କରୋନାର ଦ୍ୱିତୀୟ ଲହର ସମଗ୍ର ବିଶ୍ୱ ସାମ୍ନା କରିସାରିବା ପରେ ବର୍ତ୍ତମାନ ତୃତୀୟ ଲହର ମଧ୍ୟ ଆସି ସାରିଥିବା କୁହାଯାଉଛି । ବର୍ତ୍ତମାନ ସଂକ୍ରମଣ ବୃଦ୍ଧି ପାଉଥିବାବେଳେ ଏକ ଭଲ ଖବର ଆସିଛି । ମଡର୍ଣ୍ଣା ପ୍ରସ୍ତୁତ କରିଥିବା କରୋନା ଟିକା ୧୨ରୁ ୧୭ ବର୍ଷୀୟ ପିଲାମାନଙ୍କୁ ଦିଆଯିବ ।
ଏଥିପାଇଁ ଆଜି ୟୁରୋପୀୟ ମେଡିସିନ୍ସ ସଂସ୍ଥା ଅନୁମତି ପ୍ରଦାନ କରିଛି । ୟୁରୋପୀୟ ମେଡିସିନ ଏଜେନ୍ସି ମଡର୍ଣ୍ଣାର ବ୍ରାଣ୍ଡ ନାଁ ନେଇ କହିଛି, ଯେଉଁଭଳି ଭାବେ ୧୮ ଓ ତା’ରୁ ଅଧିକ ବୟସ୍କଙ୍କୁ Spikevax ଟିକା ଦିଆଯାଉଥିଲା, ଏବେ ୧୨ରୁ ୧୭ ବର୍ଷ ବୟସ୍କଙ୍କର ସମାନ ଭାବେ ଟିକାକରଣ କରାଯିବ।
ଏବେ Spikevax ଦ୍ୱିତୀୟ ଟିକା ଭାବେ ୟୁରୋପୀୟ ଦେଶରେ ବ୍ୟବହାର ହେବ । ଅନୁମତି ଦେବା ପୂର୍ବରୁ Spikevax ଟିକାର ପରୀକ୍ଷା ୩,୭୩୨ ଜଣ ପିଲାଙ୍କୁ ନେଇ କରାଯାଇଥିଲା । ସମସ୍ତଙ୍କ ବୟସ ୧୨ରୁ ୧୭ ବର୍ଷ ମଧ୍ୟରେ ରହିଥିଲା । ଟ୍ରାଏଲ ରିପୋର୍ଟରେ ସକାରାତ୍ମକ ଫଳାଫଳ ଆସିବାରୁ ସଂସ୍ଥା ଏହାର ବ୍ୟବହାର ପାଇଁ ଅନୁମତି ଦେଇଛି । ସମସ୍ତଙ୍କୁ ଟିକାର ଦୁଇଟି ଡୋଜ୍ ନେବାକୁ ପଡ଼ିବ । ପ୍ରଥମ ଡୋଜ୍ ନେବାର ୪ ସପ୍ତାହ ପରେ ଦ୍ୱିତୀୟ ଡୋଜ୍ ନେବାକୁ ହେବ । ମେ’ ମାସରେ ଏଜେନ୍ସି ୧୨ରୁ ୧୭ ବର୍ଷୀୟଙ୍କ ପାଇଁ ଫାଇଜର-ବାୟୋନଟେକ୍ ପ୍ରସ୍ତୁତ କରିଥିବା କରୋନା ଟିକାକୁ ବ୍ୟବହାର କରିବାକୁ ଅନୁମତି ଦେଇଥିଲା ।
Powered by Froala Editor