ଜାନୁଆରୀରୁ ଶୁଖିଲାଣି ସାଳନ୍ଦୀ, ରବି ଫସଲ ପାଇଁ ଚିନ୍ତାରେ ଚାଷୀ
ଚିରସ୍ରୋତା ‘ସାଳନ୍ଦୀ ନଦୀ’ ଏବେ ଶୁଖିଗଲାଣି। ଏକଦା ସାଳନ୍ଦୀ ନଦୀର ପାଣି ହିଁ ଜିଲ୍ଲାର କୃଷିକ୍ଷେତ୍ରକୁ ବଞ୍ଚାଇ ରଖିଥିଲା। ମାତ୍ର କେତେକ ଶିଳ୍ପ ସଂସ୍ଥା ବେଆଇନ ଭାବେ ସାଳନ୍ଦୀ ନଦୀରୁ ପାଣି ନେଉଥିବାରୁ ଜାନୁଆରି ଆରମ୍ଭରୁ ଶୁଖିଗଲାଣି। ଧାନକଟା ଶେଷ ପରେ ନଦୀକୂଳରେ ବନ୍ତ, ତିହିଡ଼ି ଓ ଚାନ୍ଦବାଲି ବ୍ଲକ୍ର ବହୁଚାଷୀ ଆଖୁ, ଧାନ, ମୁଗ ସମେତ ପନିପରିବା ଚାଷ କରନ୍ତି। ନଦୀର ପାଣି କେନାଲରେ ଯିବା ପରେ ବାଲେଶ୍ବର ଜିଲ୍ଲାର ଖଇରା ଓ ସିମୁଳିଆ ବ୍ଲକ୍ରେ ରବି ଫସଲ ହୋଇଥାଏ। କିନ୍ତୁ ଏବେ ଚାଷ ପାଇଁ ସାଳନ୍ଦୀ ପାଣି ନିଅଣ୍ଟ ହେଉଛି। ଏବେ ଜାନୁଆରି ଆରମ୍ଭରୁ ନଦୀ ଶୁଖିଯିବାରୁ ଆଖୁ ଓ ପନିପରିବା ଚାଷ ପାଇଁ ଜଳ ନିଅଣ୍ଟ ହେଉଛି।
ବିଭାଗୀୟ କର୍ତ୍ତୃପକ୍ଷ ଏହାକୁ ଦୃଷ୍ଟିରେ ରଖି ସାଳନ୍ଦୀ ନଦୀ ସଂସ୍କାର ସହ ତୁରନ୍ତ ଆଡ଼ିବନ୍ଧ ନିର୍ମାଣ କରିବାକୁ ଦାବି ହୋଇଛି। କାରଣ ଅଧିକାଂଶ ସ୍ଥାନରେ ସାଳନ୍ଦୀ ନଦୀର ଗର୍ଭ ପୋତି ହୋଇଗଲାଣି। ଫଳରେ ଜଳଧାରଣ କ୍ଷମତା କମିଗଲାଣି। ସାଳନ୍ଦୀରୁ ଦଳ ସଫା କରାଯାଉ ନଥିବାରୁ ଜଳସ୍ରୋତରେ ବାଧା ଉପୁଜୁଛି।
ସୂଚନା ମୁତାବକ, ଶିମିଳିପାଳ ଅଞ୍ଚଳରେ ଥିବା ମେଘାସନୀ ପାହାଡ଼ରୁ ବାହାରିଥିବା ସାଳନ୍ଦୀ କେନ୍ଦୁଝର, ଭଦ୍ରକ ଜିଲ୍ଲା ମଧ୍ୟଦେଇ ପ୍ରାୟ ୧୪୪ କିମି ପ୍ରବାହିତ ହୋଇଛି। ଏହି ନଦୀରେ ହଦଗଡ଼ଠାରେ ଡ୍ୟାମ୍ ନିର୍ମାଣ ଯୋଗୁ ଭଦ୍ରକ, କେନ୍ଦୁଝର ସମେତ ବାଲେଶ୍ୱର ଜିଲ୍ଲାର ପ୍ରାୟ ୮ଟି ବ୍ଲକ୍ର ଜମି ଜଳସେଚିତ ହେଉଛି।
Powered by Froala Editor