ଭେନେଜୁଏଲା ପରେ ଟ୍ରମ୍ପଙ୍କ ଟାର୍ଗେଟରେ ଗ୍ରୀନଲ୍ୟାଣ୍ଡ
ଗ୍ରୀନଲ୍ୟାଣ୍ଡରେ ବିଶାଳ ସାମରିକ ବେସ୍ ଗଢ଼ିବାକୁ ଯୋଜନା କରୁଛନ୍ତି ଟ୍ରମ୍ପ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଗ୍ରୀନଲ୍ୟାଣ୍ଡ କିଣିବା ପ୍ରସ୍ତାବ କେବଳ ଏକ ବ୍ୟାପାରିକ ଚୁକ୍ତି ନୁହେଁ ବରଂ, ଏହା ପଛରେ ରହିଛି ଏକ ବଡ଼ ସାମରିକ ଅଭିଯାନ । ଯାହାକୁ ବିରୋଧ କରୁଛନ୍ତି ୟୁରୋପୀୟ ଦେଶ ।
ଟ୍ରମ୍ପଙ୍କ ସହଯୋଗୀଙ୍କ ମନ୍ତବ୍ୟ ପରେ ଡେନମାର୍କ ପ୍ରଧାନମନ୍ତ୍ରୀ ମେଟେ ଫ୍ରେଡ୍ରିକସେନ୍ କହିଛନ୍ତି, ଯଦି ଆମେରିକା ଅନ୍ୟ ଏକ ନାଟୋ ଦେଶ ଉପରେ ଆକ୍ରମଣ କରେ, ତେବେ ସବୁକିଛି ବନ୍ଦ ହୋଇଯିବ। ଟ୍ରମ୍ପ ବାରମ୍ବାର ଡେନମାର୍କ ଅଞ୍ଚଳକୁ ଦଖଲ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି ଏବଂ ଭେନେଜୁଏଲାର ନେତା ନିକୋଲାସ୍ ମାଦୁରୋଙ୍କୁ ବନ୍ଦୀ କରିବା ପରେ ସେ ତାଙ୍କ ବାକ୍ୟକୁ ଦୋହରାଇଛନ୍ତି। ସେ ମେକ୍ସିକୋ, କ୍ୟୁବା ଓ କଲମ୍ବିଆ ବିଷୟରେ ‘କିଛି କରିବାକୁ ପଡିବ’ ବୋଲି ଚେତାବନୀ ଦେଇଛନ୍ତି।
ଟ୍ରମ୍ପ ପ୍ରଶାସନ ଏହି ଦ୍ୱୀପକୁ ଆମେରିକାର ପ୍ରତିରକ୍ଷା କବଚ ଭାବେ ଗଢ଼ିବାକୁ ଯୋଜନା କରୁଛି। ଟ୍ରମ୍ପ ଗ୍ରୀନଲ୍ୟାଣ୍ଡରେ ଆମେରିକାର ସାମରିକ ଉପସ୍ଥିତିକୁ ବହୁଗୁଣିତ କରିବାକୁ ଚାହୁଁଛନ୍ତି । ଏଠାରେ ନୂତନ ଏୟାରବେସ୍ ଏବଂ ନୌସେନା ବନ୍ଦର ନିର୍ମାଣ କରି ଆର୍କଟିକ୍ ଅଞ୍ଚଳରେ ନିଜର ପ୍ରଭାବ ବିସ୍ତାର କରିବା ଟ୍ରମ୍ପଙ୍କ ମୁଖ୍ୟ ଲକ୍ଷ୍ୟ ।
ଗ୍ରୀନଲ୍ୟାଣ୍ଡରେ ଥିବା ଆମେରିକାର ‘ଥୁଲେ ଏୟାର ବେସ୍’ର ଆଧୁନିକୀକରଣ କରିବା ସହ ସେଠାରେ ଶକ୍ତିଶାଳୀ ରାଡାର ଏବଂ ମିସାଇଲ୍ ଇଣ୍ଟରସେପ୍ଟର ଲଗାଇବାକୁ ଟ୍ରମ୍ପ ଯୋଜନା କରୁଛନ୍ତି । ଯାହା ଦ୍ୱାରା ଉତ୍ତର ଗୋଲାର୍ଦ୍ଧରୁ ଆସୁଥିବା ଯେକୌଣସି ଆକ୍ରମଣକୁ ରୋକାଯାଇପାରିବ । ବରଫ ତରଳିବା ଯୋଗୁଁ ଆର୍କଟିକରେ ସୃଷ୍ଟି ହେଉଥିବା ନୂଆ ବାଣିଜ୍ୟିକ ଜଳପଥ ଉପରେ ସାମରିକ ନିୟନ୍ତ୍ରଣ ରଖିବାକୁ ଗ୍ରୀନଲ୍ୟାଣ୍ଡକୁ ନିଜ ଅଧୀନକୁ ଆଣିବାକୁ ଟ୍ରମ୍ପ ଜିଦ୍ ଧରିଛନ୍ତି ।
ଅନ୍ୟପଟେ ୟୁରୋପୀୟ ସଂଘ ଏକ ମିଳିତ ବିବୃତିରେ କହିଛି ଯେ, ଟ୍ରମ୍ପଙ୍କ ଏହି ସାମରିକ ଯୋଜନା ବିଶ୍ୱ ଶାନ୍ତି ପାଇଁ ବିପଦ । ଗ୍ରୀନଲ୍ୟାଣ୍ଡକୁ ସାମରିକ ଆଡ୍ଡାରେ ପରିଣତ କଲେ ଏହା ରୁଷ ଓ ଆମେରିକା ମଧ୍ୟରେ ଏକ ନୂଆ ‘ଶୀତଳ ଯୁଦ୍ଧ’ ଆରମ୍ଭ କରିବ ।
Powered by Froala Editor