ଚିନ୍ତାର କାରଣ ପାଲଟିଛି ଓଡ଼ିଶାରେ ବାୟୁ ପ୍ରଦୂଷଣ: ବାଲେଶ୍ବର ତୃତୀୟ ସ୍ଥାନରେ
ଭୁବନେଶ୍ୱର: ବାୟୁ ପ୍ରଦୂଷଣକୁ ନେଇ ଦେଶର ରାଜଧାନୀ ଦିଲ୍ଲୀ ସ୍ଥିତି ଚିନ୍ତାଜନକ ଥିବାବେଳେ ଗତ କିଛି ଦିନ ହେଲା ଓଡ଼ିଶାରେ ବାୟୁ ପ୍ରଦୂଷଣ ମାନ ଚିନ୍ତାର କାରଣ ପାଲଟିଛି। ଦିନକୁ ଦିନ ବାୟୁ ପ୍ରଦୂଷଣରେ ରେକର୍ଡ ଭାଙ୍ଗୁଛି ଓଡ଼ିଶା। ଦେଶର ବାୟୁ ପ୍ରଦୂଷିତ ସହର ତାଲିକାରେ ଦିଲ୍ଲୀ ପରେ ଓଡ଼ିଶାର ଅନୁଗୋଳ, ତାଳଚେର, ବାଲେଶ୍ବର, କଟକ, ଭୁବନେଶ୍ବର ଏବଂ ବାରିପଦା ରହୁଛି। ଦିନେ ଦିନେ ଦିଲ୍ଲୀ ସହରକୁ କାଟି ପ୍ରଥମ ସ୍ଥାନ ଅଧିକାର କରୁଛି ଓଡ଼ିଶା। ରବିବାର ବାଲେଶ୍ବରରେ ବାୟୁର ଗୁଣବତ୍ତା ମାନ (ଏକ୍ୟୁଆଇ) ୩୧୬ ରହିଛି। ଦିଲ୍ଲୀରେ ଏକ୍ୟୁଆଇ ୩୦୭ ରେକର୍ଡ ହୋଇଛି। କିନ୍ତୁ ଗୁରୁଗାଓଁରେ ଏକ୍ୟୁଆଇ ୩୩୦, ଧରୁହେରାରେ ଏକ୍ୟୁଆଇ ୩୨୫ ରହିଛି। ଗୁରୁଗାଓଁ ଏବଂ ଧରୁହେରା ପ୍ରଥମ ଏବଂ ଦ୍ବିତୀୟ ସ୍ଥାନରେ ଥିବାବେଳେ ବାଲେଶ୍ବର ତୃତୀୟ ସ୍ଥାନରେ ରହିଛି।
ରବିବାର ସନ୍ଧ୍ୟା ୫ଟା ସୁଦ୍ଧା ବାଲେଶ୍ବରରେ ଏକ୍ୟୁଆଇ ୩୦୬, ଅନୁଗୋଳରେ ୨୩୬, ଭୁବନେଶ୍ବରରେ ୨୪୮, କଟକରେ ୨୭୭ ଏବଂ ତାଳଚେରରେ ୨୭୭ ରହିଛି। କିନ୍ତୁ ମଧ୍ୟାହ୍ନ ସମୟରେ ବାଲେଶ୍ବରରେ ଏକ୍ୟୁଆଇ ୩୧୬, କଟକରେ ୨୮୫, ତାଳଚେରରେ ୨୬୫, ଅନୁଗୋଳରେ ୨୫୫ ଏବଂ ଭୁବନେଶ୍ବରରେ ୨୫୧ ଥିଲା। ଅନୁଗୋଳ, ତାଳଚେର ଏବଂ କେନ୍ଦୁଝର ଶିଳ୍ପନଗରୀ ହୋଇଥିବାରୁ ପ୍ରତିଦିନ କୋଇଲା ଏବଂ ଲୁହାପଥର ବୋଝେଇ ଶହ ଶହ ଟ୍ରକ, ଡ୍ରମ୍ପର, ହାଇୱା ଏବଂ ଅନ୍ୟାନ୍ୟ ଗାଡ଼ିମୋଟର ଚଳାଚଳ କରୁଛି। ଖରାପ ରାସ୍ତାରେ କୋଇଲା ଏବଂ ଲୁହାପଥର ଗୁଣ୍ଡ ଖସି ପଡୁଛି। ପୁଣି ଖାଲଖମା ରାସ୍ତା ଯୋଗୁଁ ଗାଡ଼ିମୋଟର ଚଳାଚଳରେ ଧୂଳି ଉଡ଼ି ବାୟୁମଣ୍ଡଳକୁ ଆସୁଛି। କଟକ, ଭୁବନେଶ୍ବର, ବାଲେଶ୍ବର ଏବଂ ବାରିପଦାରେ ବିଶେଷ କଳକାରଖାନା ନ ଥିଲେ ମଧ୍ୟ ଏଠାରେ ବାୟୁ ପ୍ରଦୂଷଣ ବୃଦ୍ଧି ପାଇବା ଚିନ୍ତାଜନକ ପାଲଟିଛି।
ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ପରିଷଦ (ଓଏସପିସିବି) ବିଳମ୍ବରେ ହେଲେ ମଧ୍ୟ ବାୟୁ ପ୍ରଦୂଷଣ ନିୟନ୍ତ୍ରଣ କରିବା ପାଇଁ ଆଭାସିରେ ଜିଲାପାଳମାନଙ୍କ ସହ ଏକ ବୈଠକ କରିଛି। ତୁରନ୍ତ ପଦେକ୍ଷପ ଗ୍ରହଣ କରିବାକୁ ଜିଲାପାଳଙ୍କୁ ଓଏସପିସିବି ନିର୍ଦେଶ ଦେଇଛି। ବାୟୁ ପ୍ରଦୂଷଣ ବଢ଼ୁଥିବା ଅଞ୍ଚଳରେ ରାସ୍ତାଘାଟରେ ପାଣି ସଞ୍ଚନ, ନିର୍ମାଣ ସ୍ଥଳ କଡ଼ାକଡ଼ି ଯାଞ୍ଚ କରିବାକୁ କୁହାଯାଇଛି। ସହରାଞ୍ଚଳ ରାସ୍ତାଘାଟ ଝାଡୁରେ ସଫେଇ କରିବା ଦ୍ବାରା ଧୂଳି ଉଡୁଛି। ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ବିଏମସି, ସିଏମ୍ସି, ଏନ୍ଏସି ଏବଂ ମ୍ୟୁନିସିପାଲିଟିଗୁଡ଼ିକୁ ନିର୍ଦେଶ ଦିଆଯାଇଛି।
Powered by Froala Editor