ପର୍ଯ୍ୟଟକ ବସ ଦୁର୍ଘଟଣାଗ୍ରସ୍ତ, ୧୫ ଆହତ
ସମ୍ବଲପୁର: ଶନିବାର ପ୍ରାତଃ ସମୟରେ ସମ୍ୱଲପୁର ଜିଲା ଯୁଯୁମୁରା ଥାନା ଅନ୍ତର୍ଗତ କଂସର ନିକଟରେ ଜାତୀୟ ରାଜପଥ-୫୫ ଉପରେ ଏକ ପର୍ଯ୍ୟଟକ ବସ ଦୁର୍ଘଟଣାର ଶିକାର ହୋଇଛି। ଏହି ଦୁର୍ଘଟଣାରେ ୧୫ ଯାତ୍ରୀ ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ସେମାନଙ୍କ ମଧ୍ୟରୁ ୭ ଜଣଙ୍କୁ ସମ୍ୱଲପୁର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବାବେଳେ ଗୁରୁତର ଆହତ ୮ ଜଣଙ୍କୁ ବୁର୍ଲା ଭିମସାରରେ ଭର୍ତ୍ତି କରାଯାଇଛି।
ଶୁକ୍ରବାର ରାତ୍ରିରେ ଏକ ବସ ରାଜଧାନୀ ଭୁବନେଶ୍ୱରର ପିଚୁ ବସ୍ତିରୁ ୧୭ ପର୍ଯ୍ୟଟକଙ୍କୁ ନେଇ ମାଁ ସମଲେଶ୍ୱରୀଙ୍କ ଦର୍ଶନ ଓ ଆଖପାଖର ଅଞ୍ଚଳ ବୁଲିବା ପାଇଁ ସମ୍ୱଲପୁର ଅଭିମୁଖେ ବାହାରିଥିଲା। କିନ୍ତୁ ସମ୍ୱଲପୁର ପହଞ୍ଚିବା ପୂର୍ବରୁ ଆଜି ଭୋର ପ୍ରାୟ ୬ଟାରେ କଂସର ନିକଟରେ ଭାରସାମ୍ୟ ହରାଇ ରାସ୍ତାରେ ଥିବା ଏକ ପୋଲର ସୁରକ୍ଷା ପାଚେରୀକୁ ଧକ୍କା ଦେଇ ବସଟି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ବସରେ ଆହତ ଯାତ୍ରୀମାନଙ୍କ ଅନୁଯାୟୀ, ଭୋର ସମୟରେ ବସ୍ ଚାଳକଙ୍କ ଆଖି ଲାଗିଯିବାରୁ ବସଟି ରାସ୍ତାକଡ଼କୁ ଚାଲିଯାଇ ଦୁର୍ଘଟଣାର ଶିକାର ହୋଇଥିଲା। ଖବରପାଇ ଯୁଯୁମୁରା ଥାନା ପୁଲିସ ଦୁର୍ଘଟଣା ସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ପ୍ରଥମେ ଯୁଯୁମୁରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ସମସ୍ତଙ୍କୁ ବିଭିନ୍ନ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ଯୁଯୁମୁରା ପୁଲିସ ଦୁର୍ଘଟଣାଗ୍ରସ୍ତ ବସକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
Powered by Froala Editor