ବଙ୍ଗୋପସାଗରରେ ଲଘୁଚାପ, ୭ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା
ଭୁବନେଶ୍ବର: ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ତା’ର ଆଖପାଖ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ଗୁରୁବାର ସକାଳେ ସୃଷ୍ଟି ହୋଇଛି। ଏହି ଲଘୁଚାପ ସହ ଜଡ଼ିତ ଘୂର୍ଣ୍ଣିବଳୟ ସମୁଦ୍ର ପତ୍ତନରୁ ୭.୬ କିମି ଉଚ୍ଚତା ପର୍ଯ୍ୟନ୍ତ ସକ୍ରିୟ ରହିଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ସହ ସ୍ବଳ୍ପରୁ ମଧ୍ୟମ ଧରଣ ବର୍ଷା ଏବଂ କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।
କେନ୍ଦ୍ରର ଆକଳନ ଅନୁଯାୟୀ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବରଗଡ, ଝାରସୁଗୁଡା, ସୁନ୍ଦରଗଡ, ସମ୍ବଲପୁର, ନୂଆପଡା, ବଲାଙ୍ଗୀର ଏବଂ ଦେବଗଡ ଜିଲାର ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। କେନ୍ଦୁଝର, ମୟୂରଭଞ୍ଜ, ନବରଙ୍ଗପୁର, କଳାହାଣ୍ଡି, ସୋନପୁର, ବୌଦ୍ଧ, ଅନୁଗୋଳ, କଟକ, ଢେଙ୍କାନାଳ, ଯାଜପୁର, ଭଦ୍ରକ ଏବଂ ବାଲେଶ୍ବର ଜିଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
ଭୁବନେଶ୍ବର ଏବଂ କଟକରେ ବିଜୁଳି ଘଡ଼ଘଡ଼ି ସହ ୨ରୁ ୩ ସେଣ୍ଟିମିଟର ବର୍ଷା ହେବାର ସମ୍ଭାବନା ଥିବା ନେଇ ପାଣିପାଗ କେନ୍ଦ୍ର ଆକଳନ କରିଛି।
ସୃଷ୍ଟ ଲଘୁଚାପ କ୍ଷେତ୍ର ପ୍ରଭାବରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର, ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଓଡ଼ିଶା ଉପକୂଳରେ ୨୩ରୁ ୨୫ ତାରିଖ ଯାଏଁ ଝଡ଼ପବନ ଘଣ୍ଟା ପ୍ରତି ୪୦ରୁ ୫୦ କିମି ବେଗରେ ବହିବାର ସମ୍ଭାବନା ରହିଛି। ଏହି ସମୟରେ ଉପରୋକ୍ତ ଅଞ୍ଚଳର ଗଭୀର ସମୁଦ୍ରକୁ ଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି। ଗଭୀର ସମୁଦ୍ରରେ ଥିବା ମତ୍ସ୍ୟଜୀବୀ ଉପକୂଳକୁ ଫେରି ଆସିବାକୁ ସୂଚନା ଜାରି ହୋଇଛି। ୨୬ ତାରିଖ ଯାଏଁ ଓଡ଼ିଶାର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣ ବର୍ଷା ସହ ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏହି ବର୍ଷା ଖରିଫ ଫସଲ ବେଉଷଣ ପାଇଁ ସହାୟକ ହେବ।
Powered by Froala Editor