ଶାଶୂ ଓ ଶଶୁରଙ୍କୁ କବାଟ ଦେଇ ସ୍ତ୍ରୀକୁ ହତ୍ୟା କଲା ସ୍ଵାମୀ
ଦେଓଗାଁ: ରାତିରେ ଖାଇ ସାରିବା ପରେ ସ୍ବାମୀସ୍ତ୍ରୀ ଶୋଇଥିଲେ। ଘରେ ଶାଶୂ ଓ ଶଶୁର ବି ସାଙ୍ଗରେ ଥିଲେ। ତେବେ କୌଣସି କଥାକୁ ନେଇ ରାତିରେ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ତୀବ୍ର ଝଗଡ଼ା ହୋଇଥିଲା। ଶାଶୂ ଓ ଶଶୁରଙ୍କୁ କବାଟ ଦେଇ ସ୍ତ୍ରୀଙ୍କୁ ଟାଙ୍ଗିଆରେ ହତ୍ୟା କଲେ। ଏଭଳି ବୀଭତ୍ସ ହତ୍ୟାକାଣ୍ଡ ବଲାଙ୍ଗିର ଜିଲା ଦେଓଗାଁ ଥାନା ଗାଈବାହାଲ ପଞ୍ଚାୟତ ଜୁର୍ଲାକାନି ଗାଁରେ ଘଟିଛି। ଜୁର୍ଲାକାନି ଗାଁର ମାଧବ ମଲ୍ଲିକ ସ୍ତ୍ରୀ ତପଙ୍କୁ ବୁଧବାର ରାତିରେ ଟାଙ୍ଗିଆରେ ହାଣି ହତ୍ୟା କରିଛନ୍ତି। ମୃତଦେହକୁ ଅନ୍ୟତ୍ର ଫିଙ୍ଗି ଦେବାକୁ ଉଦ୍ୟମ କରୁଥିବାବେଳେ ସମ୍ପର୍କୀୟ ଭାଇ ତାଙ୍କୁ କାବୁ କରିଥିଲେ। ଦେଓଗାଁ ପୁଲିସ ଅଭିଯୁକ୍ତ ମାଧବଙ୍କୁ ଗିରଫ କରିଛି। ତେବେ ସେ ଅସୁସ୍ଥ ଥିବାରୁ ତାଙ୍କୁ ବଲାଙ୍ଗିର ଡାକ୍ତରଖାନାରେ ଭର୍ତ୍ତି କରିଛି। ମୃତା ତପଙ୍କ ବାପା ଜ୍ବାଇଁ ମାଧବଙ୍କ ନାମରେ ଦେଓଗାଁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଦେଓଗାଁ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି।
Powered by Froala Editor