ମହାନଦୀ ପ୍ରସଙ୍ଗରେ ଆପୋସ ସମାଧାନ ନେଇ ଏହା କହିଲେ ଆଇନମନ୍ତ୍ରୀ
ଭୁବନେଶ୍ବର : ମହାନଦୀ ପ୍ରସଙ୍ଗରେ ଆପୋସ ସମାଧାନ ପାଇଁ ସରକାର ଚେଷ୍ଟା କରୁଛନ୍ତି, ଯାହା ପୂର୍ବ ସରକାର ସମୟରେ ହୋଇପାରି ନଥିଲା ବୋଲି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି। ମହାନଦୀ ବିବାଦ ନେଇ ଶାସକ ଓ ବିରୋଧୀ ଦଳ ମଧ୍ୟରେ ଦୋଷ ଠେଲାଠେଲି ଚାଲିଛି। ଶାସକ ଦଳ ପୂର୍ବ ସରକାର ଉପରେ ଦୋଷ ଲଦୁଥିବା ବେଳେ ବିରୋଧୀ ବିଜେଡି ମହାନଦୀ ଜଳବିବାଦର ଆପୋସ ସମାଧାନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଉପରେ ବର୍ଷୁଛି। ଏଭଳି ସ୍ଥିତିରେ ବୁଧବାର ପୂର୍ବ ସରକାରଙ୍କ ଉପରେ ବର୍ଷିଛନ୍ତି ଆଇନ ମନ୍ତ୍ରୀ ଶ୍ରୀ ହରିଚନ୍ଦନ।
ସେ କହିଛନ୍ତି, ମହାନଦୀ ପ୍ରସଙ୍ଗରେ ୨୧ଜଣ ସାକ୍ଷୀଙ୍କ ମଧ୍ୟରୁ ଗତ ୭ବର୍ଷ ମଧ୍ୟରେ ମାତ୍ର ଜଣଙ୍କ ସାକ୍ଷ୍ୟ ଗ୍ରହଣ ହୋଇଥିଲା। ନ୍ୟାୟାଧୀକରଣ ସହ ପୂର୍ବ ସରକାରଙ୍କ ଆଦୌ ସହଭାଗିତା ନଥିଲା। ନୂଆ ସରକାର ଆସିବା ପରେ ପ୍ରତି ମାସରେ ଗୋଟେ ଲେଖାଏଁ ଶୁଣାଣି ହେଉଛି। ନ୍ୟାୟାଧୀକରଣ ମଧ୍ୟ ଏହାକୁ ଅତି ନିକଟରୁ ନିରୀକ୍ଷଣ କରୁଛନ୍ତି। ବିଜେପି ସରକାର ଆସିବା ପରେ ଓଡ଼ିଶା ଏବଂ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଏକାଠି ବସି ମୁଖ୍ୟମନ୍ତ୍ରୀସ୍ତରୀୟ ଆଲୋଚନା ସରିଛି। କେନ୍ଦ୍ର ଗୃହ ଏବଂ ଜଳ ଶକ୍ତି ମନ୍ତ୍ରୀଙ୍କ ସହ ମଧ୍ୟ ବୈଠକ ଶେଷ ହୋଇଛି। ମୁଖ୍ୟ ଶାସନ ସଚିବ ଏବଂ ବୈଷୟିକ କମିଟିରେ ମଧ୍ୟ ଆଲୋଚନା ହୋଇଛି। କେତେ ପାଣି ଆବଶ୍ୟକ ତାହା ସ୍ଥିର କରି ବୈଷୟିକ କମିଟି ସମାଧାନ କରିବେ। ବିଶେଷ ଭାବେ ଅଣମୌସୁମୀ ଋତୁରେ କେତେ ପାଣି ଆବଶ୍ୟକ ସେ ସମ୍ପର୍କରେ ବୈଷୟିକ କମିଟି ଖୁବଶୀଘ୍ର ନିଷ୍କର୍ଷରେ ପହଞ୍ଚିବ। ଛତିଶଗଡ଼ ମଧ୍ୟ ଖୁବଶୀଘ୍ର ମନ୍ତ୍ରୀସ୍ତରୀୟ କମିଟି ଗଠନ କରିବାକୁ ଯାଉଛି।
Powered by Froala Editor