ଅନ୍ଲାଇନରେ ଆରାବଳୀ ବଞ୍ଚାଅ ନାରା
ଆରାବଳୀ ପର୍ବତମାଳାର ଅସ୍ତିତ୍ୱକୁ ନେଇ ସୋସିଆଲ ମିଡିଆରେ ଛାଇଯାଇଛି ଆରାବଳୀ ସଂରକ୍ଷଣ ଅଭିଯାନ। ଅନ୍ଲାଇନରେ ଆରମ୍ଭ ହୋଇଯାଇଛି ‘ସେଭ୍ ଆରାବଳୀ’ ବା ଆରାବଳୀ ବଞ୍ଚାଅ ନାରା । ଆରାବଳୀ ପର୍ବତଶ୍ରେଣୀରେ ଖନନ ଅନୁମତିକୁ ଜୋରଦାର ବିରୋଧ। ନିକଟରେ ସୁପ୍ରିମକୋର୍ଟ ଶୁଣାଇଥିବା ଏକ ଫଇସଲାରୁ ସାରା ଦେଶରେ ସୃଷ୍ଟି ହୋଇଛି ହଇଚଇ। ଏପରିକି ସୁପ୍ରିମକୋର୍ଟଙ୍କୁ ମଧ୍ୟ ଖୋଲାଖୋଲି ଭାବେ ବିରୋଧ କରାଯାଇଛି ।
କେନ୍ଦ୍ର ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବଆରାବଳୀ ପର୍ବତମାଳାକୁ ନେଇ ଚାଲିଥିବା ବିତର୍କ ଏବଂ ଦ୍ୱନ୍ଦ୍ୱକୁ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି, ଆରାବଳୀ ପର୍ବତମାଳା ଅଞ୍ଚଳରେ କୌଣସି କୋହଳ ଗ୍ରହଣ କରାଯାଇ ନାହିଁ। ସରକାର ସୁପ୍ରିମକୋର୍ଟଙ୍କ ପରାମର୍ଶ ଓ ନିୟମକୁ ସମର୍ଥନ କରିଛନ୍ତି। କଠୋର ଖଣିଜ ଖନନ ଆଇନକୁ ବଳବତ୍ତର ରଖାଯାଇଥିବା ସେ ସୂଚନା ଦେଇଛନ୍ତି।
କିଛିଦିନ ହେଲା କିଛି ୟୁଟ୍ୟୁବ୍ ଚ୍ୟାନେଲରେ ପ୍ରକାଶ ପାଇଥିବା ବିବାଦୀୟ ରିପୋର୍ଟକୁ ତର୍ଜମା କରି କେନ୍ଦ୍ରମନ୍ତ୍ରୀ ଶ୍ରୀ ଯାଦବ କହିଛନ୍ତି ଯେ ଆରାବଳି ପର୍ବତମାଳାର ସୀମା ଚାରିଟି ଭାରତୀୟ ରାଜ୍ୟ: ଦିଲ୍ଲୀ, ରାଜସ୍ଥାନ, ହରିୟାଣା ଏବଂ ଗୁଜରାଟକୁ ବ୍ୟାପ୍ତ ରହିଛି। ଏହି ୪ ରାଜ୍ୟର ୩୯ ଜିଲ୍ଲାରେ ସମ୍ପୂର୍ଣ୍ଣ ଆରାବଳୀ ବିସ୍ତୃତ। ଆରାବଳୀ ସମ୍ପର୍କରେ ଆଇନଗତ ପ୍ରକ୍ରିୟା ନୂଆ ନୁହେଁ; ୧୯୮୫ ମସିହାରୁ ଆବେଦନଗୁଡ଼ିକ ବିଚାରାଧୀନ ରହିଥିବା ସେ ସୂଚନା ଦେଇଛନ୍ତି। ଏହି ଆବେଦନଗୁଡ଼ିକର ପ୍ରାଥମିକ ଉଦ୍ଦେଶ୍ୟ ହେଉଛି ଆରାବଳୀ ଅଞ୍ଚଳରେ ଖଣିଜ ଖନନ ଉପରେ କଠୋର ଏବଂ ସ୍ପଷ୍ଟ ନିୟମାବଳୀ କାର୍ଯ୍ୟକାରୀ କରିବା, ଯାହାକୁ କେନ୍ଦ୍ର ସରକାର ପୂର୍ଣ୍ଣ ସମର୍ଥନ କରି ଆସିଛନ୍ତି ବୋଲି ସେ ସୂଚନା ଦେଇଛନ୍ତି।
ଦୁନିଆର ସବୁଠୁ ପ୍ରାଚୀନ ପର୍ବତ ଶୃଙ୍ଖଳା ମଧ୍ୟରୁ ଅନ୍ୟତମ ଆରାବଳୀ ପର୍ବତମାଳା । ଦିଲ୍ଲୀରୁ ହରିୟାଣା, ରାଜସ୍ଥାନ ଦେଇ ଏହା ଗୁଜରାଟ ପର୍ଯ୍ୟନ୍ତ ଲମ୍ବିଛି । ଏହି ପର୍ବତମାଳା ନିକଟରେ ଖଣି ଖନନ ଲାଗି ସୁପ୍ରିମକୋର୍ଟରେ ଏକ ପିଟିସନ ହୋଇଥିଲା । ଏହା ଉପରେ କେନ୍ଦ୍ର ସରକାର ସର୍ବୋଚ୍ଚ ଅଦାଲତରେ ଏକ ଜବାବ ଦାଖଲ କରିଥିଲେ । ସୁପ୍ରିମକୋର୍ଟ ଏହା ଉପରେ ଫଇସଲା ଦେଇଥିଲେ ଯେ, ୧୦୦ ମିଟରରୁ ଅଧିକ ଉଚ୍ଚତାର ପାହାଡ଼ିଆ କ୍ଷେତ୍ର ହିଁ ଆରାବଳୀର ଅଂଶ । ୧୦୦ ମିଟରରୁ କମ୍ ଉଚ୍ଚତାର ପାହାଡ଼କୁ ଆରାବଳୀର ଅଂଶ ବିବେଚନା କରାଯିବ ନାହିଁ । ଏହାର ଅର୍ଥ ସେଠାରେ ଖଣି ଖନନ କାମ କରାଯାଇପାରିବ । ଏହାପରଠାରୁ ସାରା ଦେଶରେ ‘ସେଭ୍ ଆରାବଳୀ’ ବା ଆରାବଳୀ ବଞ୍ଚାଅ ଅଭିଯାନ ଆରମ୍ଭ ହୋଇଯାଇଛି ।
Powered by Froala Editor