ମାନବିକତା ଭୁଲିଗଲେ ଡାକ୍ତର, ଅପରେସନ ବାକି ଟଙ୍କା ନମିଳିବାରୁ ଝିଅର ଗୋଡ଼ ଭାଙ୍ଗିଦେଲେ
ଅପରେସନ ପରେ ପୂରା ଟଙ୍କା ମିଳିଲାନି ବୋଲି ମାନବିକତା ଭୁଲିଗଲେ ଡାକ୍ତର । ଏପରି ଅଭିଯୋଗ ଆସିଛି ଉତ୍ତରପ୍ରଦେଶର ମୁଜାଫରନଗର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ। ଜଣେ ୧୪ ବର୍ଷୀୟ ଝିଅର ଗୋଡ ମୋଡି ଦେବାରୁ ହାଡ ଭାଙ୍ଗି ଯାଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ଆଣିଛନ୍ତି ତାଙ୍କ ମା” ରେଶମା । ସେ ଜଣେ ବିଧବା ଓ ଅସହାୟ। ତାଙ୍କ ୧୪ ବର୍ଷର ଝିଅର ଡାହାଣ ଗୋଡ଼ରେ ସମସ୍ୟା ଦେଖା ଦେଇଥିଲା। ତେଣୁ ସେ ଝିଅକୁ ଧରି ପ୍ରାୟ ଦେଢ଼ ମାସ ତଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଇଥିଲେ। ଦାୟିତ୍ୱରେ ଥିବା ଡାକ୍ତର ଝିଅର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ଝିଅ ଗୋଡ଼ ଅପରେସନ୍ ହେବ ବୋଲି ଡାକ୍ତର କହିଥିଲେ।
ସେଥିପାଇଁ ମେଡିକାଲ କର୍ମଚାରୀମାନେ ତାଙ୍କୁ ୨୫,୦୦୦ ଟଙ୍କା ମାଗିଥିଲେ। ମହିଳା ଜଣକ ନିଜକୁ ବିଧବା ଦର୍ଶାଇ ଟଙ୍କା ଦେବା ପାଇଁ ଅସମର୍ଥ ହୋଇଥିଲେ। ମେଡିକାଲ କର୍ମଚାରୀଙ୍କୁ ଗୁହାରୀ କରିଥିଲେ। ହେଲେ ମେଡିକାଲ୍ କର୍ମଚାରୀମାନେ କିଛି ଶୁଣିନଥିଲେ।
ମେଡିକାଲ୍ରୁ ନିରାଶ ହେବା ପରେ ରେଶମା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଗୁହାରୀ କରିଥିଲେ। ଏଥିରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ(ସିଏମ୍ଓ) ହସ୍ତକ୍ଷେପ କରିଥିଲା। ମାଗଣା ଚିକିତ୍ସା ସେବା ଯୋଗାଇଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ରେଶମା ଝିଅକୁ ଧରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଯାଇଥିଲେ। ଏହା ସତ୍ତ୍ୱେ ମେଡିକାଲ କର୍ମଚାରୀମାନେ ତାଙ୍କଠାରୁ ୮,୦୦୦ ଟଙ୍କା ନେଇଥିଲେ। ଅପରେସନ୍ ପରେ ବାକି ଟଙ୍କା ମାଗିଥିଲେ। ରେଶମା ଟଙ୍କା ଦେବା ପାଇଁ ମନା କରିଥିଲେ। ଏହା ପରେ ଝିଅକୁ ମେଡ଼ିକାଲ୍ କର୍ମଚାରୀ ଡିସ୍ଚାର୍ଜ କରିଥିଲେ।
କିଛି ଦିନ ପରେ ଚେକ୍ଅପ୍ ପାଇଁ ଆସିବାକୁ ରେଶମାଙ୍କୁ ଡାକ୍ତର କହିଥିଲେ। ଡାକ୍ତରଙ୍କ ପରାମର୍ଶରେ ରେଶମା ଝିଅକୁ ଧରି ପୁଣି ଥରେ ମେଡିକାଲ୍ରେ ପହଞ୍ଚିଥିଲେ। ଅପରେସନ କରିଥିବା ଡାକ୍ତର ଝିଅର ଆଣ୍ଠୁ ଯାଞ୍ଚ କରିଥିଲେ। ଅପରେସନ୍ ସମୟରେ ବାକି ଟଙ୍କା ଦେଇନଥିବାରୁ ଡାକ୍ତର ଝିଅର ଆଣ୍ଠୁ ଜବରଦସ୍ତି ମୋଡ଼ି ଦେଇଥିବା ଅଭିଯୋଗ ହୋଇଛି। ଯାହାଫଳରେ ଗୋଡ଼ର ହାଡ ଭାଙ୍ଗି ଯାଇଥିଲା।
ଡାକ୍ତର ମୋଡ଼ି ଦେବା ପରେ ଝିଅଟି ଯନ୍ତ୍ରଣାରେ ଚିତ୍କାର କରୁଥିଲା। ହେଲେ ନିର୍ଦ୍ଦୟ ଡାକ୍ତରମାନେ ତାଙ୍କୁ ସେଠାରୁ ତଡ଼ି ଦେଇଥିଲେ। ପରେ ଯେତେବେଳେ ଗୋଡ଼ର ଏକ୍ସ’ରେ କରାଗଲା, ସେଥିରେ ହାଡ଼ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଥିଲା। ଶେଷରେ ରେଶମା ପୁଣି ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି ।
Powered by Froala Editor