ମାୟାନଗରୀ ଉବୁଟୁବୁ : ଟ୍ରେନ୍ରେ ଫସିଛନ୍ତି ଯାତ୍ରୀ, ଘରୁ ବାହାରି ପାରୁନାହାନ୍ତି ଲୋକେ
ମାୟାନଗରୀରେ ଜାରି ରହିଛି ବର୍ଷାର ତାଣ୍ଡବ । ରାତିସାରା ପ୍ରବଳ ବର୍ଷା ହେବା କାରଣରୁ ଗୁରୁବାର ସହରର ବିଭିନ୍ନ ସ୍ଥାନ ଜଳମଗ୍ନ ହୋଇ ରହିଛି। ରେଳ ଧାରଣା ପାଣିରେ ବୁଡ଼ି ରହିଥିବାରୁ ଉମ୍ବରମାଲି ଏବଂ କସାରା ମଧ୍ୟରେ ମୁମ୍ବଇ ଲୋକାଲ ଟ୍ରେନ ସେବା ବାଧାପ୍ରାପ୍ତ ହୋଇଛି। କେନ୍ଦ୍ରୀୟ ରେଳବାଇ ମୁଖ୍ୟ ଲୋକସଂପର୍କ ଅଧିକାରୀଙ୍କ କହିବାନୁସାରେ, ପ୍ରବଳ ବର୍ଷା ଯୋଗୁ ରେଳ ଧାରଣା ପାଣିରେ ବୁଡ଼ିଯିବା କାରଣରୁ ଉମ୍ବରମାଲି ରେଳ ଷ୍ଟେସନ ଏବଂ କସାରା ମଧ୍ୟରେ ଲୋକାଲ ଟ୍ରେନ୍ ସେବା ବନ୍ଦ ହୋଇଯାଇଛି। ଜଳସ୍ତର ଯୋଗୁଁ ଇଗତପୁରିଆ ଏବଂ ଖର୍ଦି ମଧ୍ୟରେ ଟ୍ରେନ୍ ସେବା ସାମୟିକ ଭାବେ ବନ୍ଦ ହୋଇଯାଇଛି। ରେଲ୍ଓ୍ବେ ଅଧିକାରୀଙ୍କ ଅନୁଯାୟୀ, ଅନ୍ୟ ଷ୍ଟେଶନକୁ ପଠାଇ ଦିଆଯାଇଥିବା ଟ୍ରେନରେ ପ୍ରାୟ ୬ ହଜାର ଯାତ୍ରୀ ଅଟକି ରହିଛନ୍ତି। ରତ୍ନାଗିର ଜିଲାର ବହୁ ବଞ୍ଚଳ ଓ ଚିପଲୁନ ଅଞ୍ଚଳ ବେଶ୍ ପ୍ରଭାବିତ ହୋଇଛି। ମୁମ୍ବାଇ ଠାରୁ ୨୪୦ କି. ମି. ଦୂର ଚିପଲୁନ ଠାରେ ଟ୍ରେନରେ ଫଶିଥିବା ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି ଭାରତୀୟ ତଟରକ୍ଷ ବାହିନୀ।
ବନ୍ୟା ଜଳରେ ବୁଢ଼ିଯାଇଛି ରାସ୍ତା। କାର, ବାଇକ ଭାସୁଛି। ଲୋକେ ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି। ଗତ କିଛି ଦିନ ହେଲା ଲାଗି ରହିଥିବା ବର୍ଷା କାରଣରୁ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମହାରାଷ୍ଟ୍ରର କୋନକାନ ଅଞ୍ଚଳରେ। କୋନକାନ ରେଲଓ୍ବେ ରୁଟ୍ ଦେଇ ଯିବାକୁ ଥିବା କିଛି ଟ୍ରେନକୁ ବାତିଲ କିମ୍ବା ସମୟରେ ପରିବର୍ତ୍ତନ କରାଯାଇଛି।
Powered by Froala Editor