ଖରାପ ରାସ୍ତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଯୁବକ
ଭୁବନେଶ୍ବର : ଟ୍ରାଫିକ ନିୟମ ଉଲ୍ଲଘଂନକାରୀଙ୍କ ବିରୋଧରେ ସରକାର କାର୍ଯ୍ୟାନୁଷ୍ଠାନ ନେଉଛନ୍ତି। ଆମେ ମଧ୍ୟ ଜୋରିମାନା ଭରୁଛୁ। ତେବେ ରକ୍ଷଣାବେକ୍ଷଣ ଅଭାବରୁ ଖରାପ ଅବସ୍ଥାରେ ଥିବା ରାସ୍ତା ପାଇଁ ଦୁର୍ଘଟଣା ଘଟିଲେ ସରକାର କାହିଁକି ଉତ୍ତରଦାୟୀ ରହିବେ ନାହିଁ? ଏପରି ଭାବେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରି ଦୋଷୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଜଣେ ଯୁବକ।
ଯାଜପୁରର ଦେବୀପ୍ରସାଦ ସାମଲ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ପତ୍ରଲେଖି କହିଛନ୍ତି ଯେ, ମୁଁ ସର୍ବଦା ଟ୍ରାଫିକ ନିୟମ ପାଳନ କରିଥାଏ। ଏହା ସତ୍ତ୍ବେ ଟ୍ରାଫିକ ନିୟମ ଉଲ୍ଲଂଘନ ପାଇଁ ମୋଟା ଅଙ୍କର ଜୋରିମାନା ମଧ୍ୟ ଦାଖଲ କରିଛି। କିଛି ଦିନ ପୂର୍ବେ ମୁଁ ୧୬ ନଂ ଜାତୀୟ ରାଜପଥରେ ସ୍କୁଟରରେ ଯାଉଥିବା ସମୟରେ କୁଆଖିଆ ନିକଟରେ ରାସ୍ତାରେ ଥିବା ଏକ ଖାଲ ପାଇଁ ମୋ ଗାଡ଼ି ବହୁତ କ୍ଷତିଗ୍ରସ୍ତ ହେଲା। ମୁଁ ମଧ୍ୟ ଅଳ୍ପକେ ଦୁର୍ଘଟଣାରୁ ବର୍ତ୍ତି ଗଲି। ସେହି ସମୟରେ ମୋ ଗାଡ଼ିର ବେଗ ଘଣ୍ଟା ପ୍ରତି ପ୍ରାୟ ୫୦ କିମି ଥିଲା। ମୋ ଗାଡ଼ିର ଚକ ଫାଟିଗଲା ଓ ରିମ୍ କ୍ଷତିଗ୍ରସ୍ତ ହୋଇଥିଲା। ସରକାର ଯଦି ଜୋରିମାନା ନେଇ ପାରୁଛନ୍ତି ତା ହେଲେ ଭଲ ରାସ୍ତା ଦେବା ମଧ୍ୟ ସରକାରଙ୍କ କର୍ତ୍ତବ୍ୟ। ଖରାପ ରାସ୍ତା ପାଇଁ ଆମେ କ’ଣ ପାଇଁ ବିପଦରେ ପଡ଼ିବୁ? ଦାୟିତ୍ବରେ ଥିବା ଅଧିକାରୀଙ୍କ ଅବହେଳା ପାଇଁ ମୋ ଭଳି ଅନେକ ପଥଚାରୀ ଦୁର୍ଦ୍ଦଶା ଭୋଗୁଛନ୍ତି। ଅନେକ ଦୁର୍ଘଟଣାରେ ପ୍ରାଣ ହରାଉଛନ୍ତି। ତେଣୁ ଖରାପ ରାସ୍ତାଗୁଡ଼ିକର ତୁରନ୍ତ ମରାମତି କରାଯିବା ସହ ଅବହେଳା କରୁଥିବା ଅଧିକାରୀଙ୍କୁ ଦଣ୍ଡିତ କରାଯାଉ ବୋଲି ଶ୍ରୀ ସାମଲ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଏହି ଅଭିଯୋଗ ପହଞ୍ଚିବା ପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି।
Powered by Froala Editor