ପୁଟିନଙ୍କ ପାଇଁ ଭାରତରେ ୫ସ୍ତରୀୟ ସୁରକ୍ଷା ବ୍ୟବସ୍ଥା
ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ସୁରକ୍ଷା ସେବାର ଅତ୍ୟନ୍ତ ଉଚ୍ଚ ତାଲିମପ୍ରାପ୍ତ ଅଧିକାରୀ, ଭାରତର ଜାତୀୟ ସୁରକ୍ଷା ଗାର୍ଡର ବରିଷ୍ଠ କମାଣ୍ଡୋ, ସ୍ନିପର୍ସ, ଡ୍ରୋନ, ଜାମର୍ସ ଓ ଏଆଇ ମନିଟରିଂ ଭଳି ୫ ସ୍ତରୀୟ ସୁରକ୍ଷା ବଳୟ। ଭାରତ ଗସ୍ତରେ ଆସୁଥିବା ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ପାଇଁ ଏପରି ୫ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏହି ୫ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ପୁଟିନ ଭାରତର ବିଭିନ୍ନ ସ୍ଥାନକୁ ଯିବେ। ଭାରତ-ରୁଷ ବାର୍ଷିକ ସମ୍ମିଳନୀରେ ଯୋଗ ଦେବାକୁ ନୂଆଦିଲ୍ଲୀ ଆସୁଛନ୍ତି ପୁଟିନ। ସେ ଭାରତରେ ପାଦ ରଖିବା ମାତ୍ରେ ତାଙ୍କୁ ୫ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦିଆଯିବ। ଏଥିପାଇଁ ସମସ୍ତ ପ୍ରକାରର ପ୍ରସ୍ତୁତ ଶେଷ ହୋଇଛି।
ସୂତ୍ର ଅନୁସାରେ, ରୁଷ ରାଷ୍ଟ୍ରପତି ପୁଟିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ରାତ୍ର ଭୋଜନ କରିବେ। ଶୁକ୍ରବାର ରାଷ୍ଟ୍ରପତି ଭବନରେ ତାଙ୍କ ପାଇଁ ସ୍ୱତନ୍ତ୍ର ସ୍ୱାଗତ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଶୁକ୍ରବାର ସେ ରାଜ ଘାଟରେ ଥିବା ମହାତ୍ମା ଗାନ୍ଧି ସ୍ମାରକୀ ପରିଦର୍ଶନ କରିବେ। ହାଇଦ୍ରାବାଦ ହାଉସରେ ଆୟୋଜିତ ସମ୍ମିଳନୀରେ ଯୋଗଦେବେ ଓ ଭାରତ ମଣ୍ଡପମର ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମଧ୍ୟ ସାମିଲ ହେବେ। ପୁଟିନଙ୍କ ପାଇଁ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୋଟିଏ ଭୋଜିର ଆୟୋଜନ କରୁଛନ୍ତି। ଏଥିରେ ମଧ୍ୟ ଯୋଗ ଦେବେ ପୁଟିନ। ପୁଟିନ ଦୁଇ ଦିନ ଭାରତରେ ରହିବାକୁ ଥିବାରୁ ତାଙ୍କ ସୁରକ୍ଷାକୁ ସବୁଠାରୁ ଅଧିକ ଗୁରୁତ୍ୱ ଦିଆଯାଇଛି। ଏଥିପାଇଁ ପ୍ରାୟ ୪ ଡଜନ ବରିଷ୍ଠ ସୁରକ୍ଷା ଅଧିକାରୀ ରୁଷରୁ ଆସି ଦିଲ୍ଲୀରେ ପହଞ୍ଚି ସାରିଛନ୍ତି। ସେମାନେ ସବୁ କିଛିକୁ ତନତନ କରି ଯାଞ୍ଚ କରୁଛନ୍ତି।
ରୁଷ ରାଷ୍ଟ୍ରପତି ପୁଟିନଙ୍କ କାରକେଡ ଯିବାକୁ ଥିବା ରାସ୍ତା ଗୁଡ଼ିକୁ ଦିଲ୍ଲୀ ପୁଲିସ୍ ଓ ଏନସିଜି ସହ ମିଶି ରୁଷ ଅଧିକାରୀମାନେ ଯାଞ୍ଚ କରିଛନ୍ତି। ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ଗୋଟିଏ କଣ୍ଟ୍ରୋଲ ରୁମ ପ୍ରତିଷ୍ଠା କରାଯାଇଛି। ସେ ଯିବାକୁ ଥିବା ମାର୍ଗଗୁଡ଼ିକ ଉପରେ ଡ୍ରୋନ ନଜର ରଖିବ। ଏହାର ସିଧା ପ୍ରସାରଣ କଣ୍ଟ୍ରୋଲରେ ଥିବା ଅଧିକାରୀମାନେ ଦେଖିପାରିବେ। ଜାମର୍ସ, ଏଆଇ ମନିଟରିଂ ଓ ମୁହଁ ଚିହ୍ନଟ କରୁଥିବା କ୍ୟାମେରାକୁ ମଧ୍ୟ ପୁଟିନଙ୍କ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସାମିଲ କରାଯାଇଛି।
ପୁଟିନଙ୍କ ପାଇଁ ୫ ସ୍ତରୀୟ ସୁରକ୍ଷା ବଳୟ ପ୍ରସ୍ତୁତ କରାଯାଇଥିବା ବେଳେ ସେ ଭାରତରେ ପହଞ୍ଚିବା କ୍ଷଣି ସବୁ କିଛି ସକ୍ରିୟ ହେବ। ସୁରକ୍ଷା ବ୍ୟବସ୍ଥା ସହ ଜଡ଼ିତ ସମସ୍ତ ଅଧିକାରୀ ଓ କର୍ମଚାରୀ ନିୟମିତ କଣ୍ଟ୍ରୋଲ ରୁମ ଯୋଗାଯୋଗରେ ରହିବେ।
ପୁଟିନ ଯେଉଁ ହୋଟେଲରେ ରହିବେ, ତା’ର ସୁରକ୍ଷା ବ୍ୟବସ୍ଥାକୁ ଯାଞ୍ଚ କରାଯାଇଛି। ରୁଷୀୟ ସୁରକ୍ଷା ଅଧିକାରୀମାନେ ପୁଟିନ ଯିବାକୁ ଥିବା ପ୍ୟାଲେସର ସୁରକ୍ଷାକୁ ତନଖି କରିଛନ୍ତି।
Powered by Froala Editor