ଭିନ୍ନକ୍ଷମ ଦିବସ: ଘରକୁ ଘର ବୁଲି ଅଙ୍ଗନବାଡ଼ି କର୍ମୀ କରୁଛନ୍ତି ସର୍ଭେ
ଭଦ୍ରକ: ଜନ୍ମରୁ ୬ ବର୍ଷ ପର୍ଯ୍ୟନ୍ତ ଭିନ୍ନକ୍ଷମଙ୍କ ବାବଦ ପୂର୍ଣ୍ଣାଙ୍ଗ ସର୍ବେକ୍ଷଣ (ସର୍ଭେ) କରୁଛନ୍ତି ସରକାର। ଏହି ସର୍ଭେ ଜରିଆରେ ପ୍ରସ୍ତୁତ ‘ଡାଟା ବେସ୍’ ସରକାରଙ୍କ ପାଇଁ ବେଶ ଉପଯୋଗୀ ହେବ। ୩୦ ଜିଲାରେ ଘର ଘର ବୁଲି ଅଙ୍ଗନବାଡ଼ି କର୍ମୀମାନେ ଏହି ସର୍ଭେ କରିବାକୁ କୁହାଯାଇଛି। ଗତ ନଭେମ୍ବର ୧୫ ତାରିଖରେ ଏଥିପାଇଁ ପ୍ରତି ଜିଲାକୁ ପ୍ରଥମ ପର୍ଯ୍ୟାୟ ୧ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରିଛନ୍ତି ସରକାର। ଡିସେମ୍ବର ୧୫ ତାରିଖ ସୁଦ୍ଧା ସର୍ଭେ ସରିବ ବୋଲି ନିର୍ଦ୍ଧାରିତ ହୋଇଛି।
ସୂଚନା ଥାଉକି, ଗତ ସେପ୍ଟେମ୍ବର ୧୧ ତାରିଖରେ ରାଜ୍ୟସ୍ତରରେ ମହିଳା-ଶିଶୁ ବିକାଶ ବିଭାଗ ଓ ସାମାଜିକ ସୁରକ୍ଷା ବିଭାଗ ମିଳିତ ବୈଠକରେ ଏଭଳି ଏକ ସର୍ଭେ ପାଇଁ ନିଷ୍ପତ୍ତି ହୋଇଥିଲା। ନଭେମ୍ବର ୧୨ ତାରିଖରେ ସରକାର ସର୍ଭେ ପାଇଁ ମାର୍ଗଦର୍ଶିକା (ଏସଓପି) ଜାରି କରିଥିଲେ। ଶିଶୁର ନାମ, ଠିକଣା ସହ ସେ କି ପ୍ରକାର ଭିନ୍ନକ୍ଷମ, ଶିଶୁଟି ଇତିମଧ୍ୟରେ କୌଣସି ଅସ୍ତ୍ରୋପଚାର କିମ୍ବା ଥେରାପିର ସହାୟତା ନେଉଛି କି ନାହିଁ, ପରିବାରର ଆର୍ଥିକ ଅବସ୍ଥା ସହିତ ଶିଶୁର ପାଠପଢ଼ା ବିଷୟରେ ତଥ୍ୟ ସର୍ଭେ ଲାଗି ଉଦ୍ଦିଷ୍ଟ ଫର୍ମରେ ଉଲ୍ଲେଖ ରହୁଛି। ଅଙ୍ଗନବାଡ଼ି କର୍ମୀମାନେ ଉକ୍ତ ଫର୍ମ ପୂରଣ କରି ସିଡିପିଓ/ସୁପରଭାଇଜରଙ୍କୁ ପ୍ରଦାନ କରିବା ପରେ ସେମାନେ ଆବଶ୍ୟକ ଯାଞ୍ଚ କରି ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀଙ୍କ ପାଖେ ଦାଖଲ କରିବେ। ବ୍ଲକ ଅଧିକାରୀ ଉକ୍ତ ଫର୍ମକୁ ‘ଅନଲାଇନ ଏଣ୍ଟ୍ରି’ କରିବା ପରେ ଜିଲା ଅଧିକାରୀ ଏହାକୁ ଯାଞ୍ଚ କରିବେ।
ଶେଷରେ ରାଜ୍ୟ ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ଉକ୍ତ ‘ଡାଟା ବେସ’କୁ ଆଧାର କରି କେଉଁ ଭିନ୍ନକ୍ଷମ ଶିଶୁର ତୁରନ୍ତ ଚିକିତ୍ସା ଆବଶ୍ୟକ, କାହା ପାଇଁ ଉପକରଣ ଦରକାର, କାହା ପାଇଁ ଭତ୍ତା ଜରୁରୀ, ସେସବୁ ଅନୁମୋଦନ କରିବେ। ସର୍ଭେ କାଳରେ ଗୋପନୀୟତା ଓ ପରିବାରର ମର୍ଯ୍ୟାଦା ରକ୍ଷାକୁ ସୁନିଶ୍ଚିତ କରାଯିବ ବୋଲି ସରକାରଙ୍କ ନିର୍ଦ୍ଦେଶ ରହିଛି।
Powered by Froala Editor