ଜଙ୍ଗଲରୁ ଉଦ୍ଧାର ହେଲେ ନିଖୋଜ ୨୦ ଛାତ୍ର
କୋରାପୁଟ: କୋରାପୁଟ ଜିଲା ଲଙ୍କାପୁଟ ପଞ୍ଚାୟତ ପ୍ରାଥମିକ ବିଦ୍ୟାଳୟ ଛାତ୍ରାବାସରୁ ନିଖୋଜ ୨୦ ଛାତ୍ର ଜଙ୍ଗଲରୁ ଉଦ୍ଧାର ହୋଇଛନ୍ତି। ଛାତ୍ରାବାସ ଠାରୁ ୯ କିମି ଦୂର ଜଙ୍ଗଲରୁ ଏହି ଛାତ୍ରମାନଙ୍କୁ ଅଭିଭାବକ ଉଦ୍ଧାର କରିଛନ୍ତି। ପଞ୍ଚମ ଶ୍ରେଣୀର ଦୁଇ ଛାତ୍ର ମାରପିଟ୍ କରିବାରୁ ୨୦ ପିଲା ଛାତ୍ରାବାସରୁ ପଳାଇ ଥିଲେ ବୋଲି ଅତିରିକ୍ତ ଜିଲା ଶିକ୍ଷା ଅଧିକାରୀ ଜଗନ୍ନାଥ ଭତ୍ରା କହିଛନ୍ତି। ତେବେ କାରଣ ଭିନ୍ନ ହୋଇଥାଇ ପାରେ ବୋଲି ଅଭିଭାବକମାନେ ସନ୍ଦେହ କରୁଛନ୍ତି।
ଅନ୍ୟପକ୍ଷରେ ଉଦ୍ଧାର ସମସ୍ତ ୨୦ ଛାତ୍ର ସୁସ୍ଥ ଥିବା ବିଡିଓ ଦେବାଶିଷ ଗୌଡ଼ ସୂଚନା ଦେଇଛନ୍ତି। ଲଙ୍କାପୁଟ ଛାତ୍ରାବାସରୁ ପ୍ରଥମରୁ ପଞ୍ଚମ ଶ୍ରେଣୀର ୨୦ ଛାତ୍ର ନିଖୋଜ ଥିଲେ। ପିଲା ନିଖୋଜ ଥିବା ସୂଚନା ପାଇ ଭୟଭୀତ ଅଭିଭାବକମାନେ ବିଦ୍ୟାଳୟରେ ପହଞ୍ଚି କାନ୍ଦବୋବାଳି କରିଥିଲେ। ପରେ ଗ୍ରାମବାସୀଙ୍କ ସହାୟତାରେ ଖୋଜିବାରୁ ୯କିମି ଦୂର ପୁଟକେରେଙ୍ଗା ଗ୍ରାମ ନିକଟ ଜଙ୍ଗଲରୁ ପିଲାମାନଙ୍କୁ ଉଦ୍ଧାର କରାଯାଇଥିଲା। ୨୦ ଜଣ ପିଲା ଭୟଭୀତ ଥିଲେ। କେଉଁ କାରଣରୁ ସେମାନେ ଛାତ୍ରାବାସ ଛାଡ଼ିଥିଲେ ତାହା ସନ୍ଦେହ ସୃଷ୍ଟି କରିଛି।
କୋରାପୁଟ ଜିଲାପାଳ ମନୋଜ ସତ୍ୟବାନ ମହାଜନ ଘଟଣା ସମ୍ପର୍କରେ ଜାଣିବା ପରେ ତୁରନ୍ତ ପଦକ୍ଷେପ ନେଇଛନ୍ତି। କୋରାପୁଟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦେବାଶିଷ ଗୌଡ଼, ଅତିରିକ୍ତ ଜିଲା ଶିକ୍ଷା ଅଧିକାରୀ ଜଗନ୍ନାଥ ଭତ୍ରା ବିଦ୍ୟାଳୟରେ ପହଞ୍ଚି ଘଟଣାର ତଦନ୍ତ କରିଛନ୍ତି।
Powered by Froala Editor