ସାହିତ୍ୟ ଉତ୍ସବ-୨୦୨୫: ଅଭିଭାଷଣ ରଖିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ ସୋଆ ପରିଚାଳିତ ସେଣ୍ଟର୍ ଫର୍ ପ୍ରିଜରଭେସନ୍, ପ୍ରୋପାଗେସନ୍ ଆଣ୍ଡ୍ ରେଷ୍ଟୋରେସନ୍ ଅଫ୍ ଏନ୍ସିଏଣ୍ଟ କଲ୍ଚର୍ ଆଣ୍ଡ୍ ହେରିଟେଜ୍ ଅଫ୍ ଇଣ୍ଡିଆ (ପ୍ରାଚୀନ) ପକ୍ଷରୁ ସୋଆ ଅଡିଟୋରିୟମ୍ କ୍ୟାମ୍ପସ୍-୨ରେ ଆୟୋଜିତ ଦୁଇଦିନିଆ ତୃତୀୟ ସୋଆ ସାହିତ୍ୟ ଉତ୍ସବ-୨୦୨୫ର ରବିବାର ଦ୍ୱିତୀୟ ଦିବସ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସାହିତ୍ୟିକମାନଙ୍କୁ ଉତ୍ସାହିତ କରିବା ସହ ଅଭିଭାଷଣ ରଖିବେ । କାର୍ୟ୍ୟକ୍ରମରେ ସୋଆ ଉପକୁଳପତି ପ୍ରଫେସର ଡ. ପି.କେ. ପାତ୍ର ଅଧ୍ୟକ୍ଷତା କରିବେ । ସୋଆ ପ୍ରାଚୀନର ମୁଖ୍ୟ ପ୍ରଫେସର ଗାୟତ୍ରୀବାଳା ପଣ୍ଡା ଓ ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଉପସ୍ଥିତ ରହିବେ । ଏହି ଅବସରରେ ଓଡ଼ିଆ ଯୁବ କବି ଓ ଲେଖକ ସୂର୍ୟ୍ୟସ୍ନାତ ତ୍ରିପାଠୀଙ୍କୁ ‘ସୋଆ ଯୁବ ସାହିତ୍ୟ ପୁରସ୍କାର-୨୦୨୫’ରେ ସମ୍ମାନିତ କରାଯିବ ।
ବର୍ଷା ପ୍ରକାଶନୀ ଦ୍ୱାରା ୨୦୨୪ରେ ପ୍ରକାଶିତ ଶ୍ରୀ ତ୍ରିପାଠୀଙ୍କର କ୍ଷୁଦ୍ର ଗଳ୍ପ ସଙ୍କଳନ "ଠିଆ ପୁଚି ନାରଙ୍ଗ' ନିମନ୍ତେ ବିଚାରକ ମଣ୍ଡଳୀ ସର୍ବସମ୍ମତି କ୍ରମେ ତାଙ୍କ ନାମକୁ ପୁରସ୍କାର ନିମନ୍ତେ ମନୋନୀତ କରିଛନ୍ତି । ଏହି ସଙ୍କଳନରେ ୧୨ଟି ଗଳ୍ପ ରହିଛି । ଯେଉଁଥିରେ ଲେଖକ ମଣିଷର ମନସ୍ତତ୍ତ୍ୱ ଏବଂ ସମସାମୟିକ ଅନୁଭୂତିର ନିଚ୍ଛକ ପରିପ୍ରକାଶ କରିଛନ୍ତି ।
Powered by Froala Editor