ଆପାର୍ଟମେଣ୍ଟ ଅଗ୍ନିକାଣ୍ଡ ଘଟଣା: ୯୪କୁ ବୃଦ୍ଧି ପାଇଲା ମୃତ୍ୟୁସଂଖ୍ୟା
ହଂକଂ: ଚୀନର ସ୍ବତନ୍ତ୍ର ପ୍ରଶାସନିକ ଅଞ୍ଚଳ ହଂକଂର ତାଇ ପୋ ଜିଲାରେ ଘଟିଥିବା ଅଗ୍ନିକାଣ୍ଡର ଉଦ୍ଧାର କାର୍ୟ୍ୟ ଜାରି ରହିଛି। ଏହି ଅଗ୍ନିକାଣ୍ଡ ଘଟଣାରେ ୩ଜଣ ନିର୍ମାଣ ଶ୍ରମିକଙ୍କୁ ଗିରଫ କରାଯାଇଛି।ଘଟଣାରେ ଏଯାବତ ମୃତ୍ୟୁ ସଂଖ୍ୟା ୯୪କୁ ବୃଦ୍ଧି ପାଇଥିବା ସୂଚନା ମିଳିଛି । ଅନେକ ଏବେ ବି ନିଖୋଜ ଅଛନ୍ତି । ଗିରଫ ଶ୍ରମିକମାନେ ଆପାର୍ଟମେଣ୍ଟର ପୁନଃନିର୍ମାଣ କାମରେ ନିୟୋଜିତ ଥିଲେ। ପାଖାପାଖି ହୋଇ ରହିଥିବା ୭ଟି ଆପାର୍ଟମେଣ୍ଟରେ ଲାଗିଥିବା ନିଆଁକୁ ଆୟତ୍ତ କରାଯାଇଥିବାବେଳେ ପ୍ରତି ଫ୍ଲାଟକୁ ଯାଇ ଉଦ୍ଧାର କାର୍ୟ୍ୟ କରିବାକୁ ପଦକ୍ଷେପ ନିଆଯାଇଛି। କେତେକ ଆପାର୍ଟମେଣ୍ଟ ଅସୁରକ୍ଷିତ ଅବସ୍ଥାରେ ରହିଥିବାରୁ ତା’ ମଧ୍ୟରେ ଉଦ୍ଧାର କାର୍ୟ୍ୟ କରିବା ସମ୍ଭବ ହୋଇପାରି ନାହିଁ। କେତେକ ଆପାର୍ଟମେଣ୍ଟରୁ ଏବେ ମଧ୍ୟ ଧୂଆଁ ବାହାରୁଥିବା ଦେଖାଯାଇଛି। ଏହା ସହିତ ଆପାର୍ଟମେଣ୍ଟଗୁଡିକ ସମ୍ପୂର୍ଣ୍ଣ କୁଲିଂ ହୋଇ ନାହିଁ। କୁଲିଂ ପ୍ରକ୍ରିୟା ଶେଷ ହେବା ପରେ ପ୍ରତି ଫ୍ଲାଟ୍ରେ ଉଦ୍ଧାର କାର୍ୟ୍ୟ କରାଯିବ। ହଂକଂର ନେତା ଜନ୍ ଲି କହିଛନ୍ତି ଯେ ଅଗ୍ନିକାଣ୍ଡ ଘଟିଥିବା ପ୍ଲାଟ୍ ମଧ୍ୟରେ ୨୮୦ ଲୋକ ନିଖୋଜ ଅଛନ୍ତି। ସେମାନେ ପ୍ଲାଟ ମଧ୍ୟରେ ପ୍ରାଣ ହରାଇଥିବା ଅନୁମାନ କରାଯାଇଛି।
ଆପାର୍ଟମେଣ୍ଟ ମଧ୍ୟରୁ ଉଦ୍ଧାର କରାଯାଇଥିବା ୯୦୦ ଲୋକଙ୍କୁ ଅସ୍ଥାୟୀ ଆଶ୍ରୟ ସ୍ଥଳରେ ରଖାଯାଇଛି। ଅନେକ ଲୋକ ମଧ୍ୟ ନିଜର ପ୍ରିୟ ପରିଜନଙ୍କ ଅପେକ୍ଷାରେ ଆପାର୍ଟମେଣ୍ଟ ବାହାରେ ପଡିରହିଛନ୍ତି। ଲରେନ୍ସ ଲି ନାମକ ଜଣେ ବ୍ୟକ୍ତି ତାଙ୍କ ପତ୍ନୀଙ୍କ ସମ୍ପର୍କରେ କୌଣସି ଖୋଜଖବର ପାଇପାରୁ ନଥିବା କହିଛନ୍ତି। ତେଣୁ ସେ ଆପାର୍ଟମେଣ୍ଟ ବାହାରେ ଅପେକ୍ଷା କରିରହିଛନ୍ତି। ସେ ଆଶା କରୁଛନ୍ତି ଯେ ତାଙ୍କ ପତ୍ନୀ ଆପାର୍ଟମେଣ୍ଟ ମଧ୍ୟରେ ଫସି ରହିଛନ୍ତି। ମାତ୍ର ଅଗ୍ନିକାଣ୍ଡର ତୀବ୍ରତାରୁ ଜଣାପଡୁଛି ଯେ ଆପାର୍ଟମେଣ୍ଟ ଭିତରେ ଯିଏ ବି ଫସି ରହିଥିବେ ସେମାନଙ୍କ ବଞ୍ଚିବା ସମ୍ଭବ ନୁହେଁ।
Powered by Froala Editor