ଉତ୍ତରାଧିକାରୀ ଘୋଷଣା କରିପାରନ୍ତି ନବୀନ, ହେଉଛି ଚର୍ଚ୍ଚା
ଭୁବନେଶ୍ବର: ନୂଆପଡ଼ା ଉପନିର୍ବାଚନରେ ଶୋଚନୀୟ ପରାଜୟ ପରେ ବିଜେଡିର ନେତୃତ୍ବ କିଏ ନେବ ସେନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଏଥିପାଇଁ ନବୀନ ନିବାସରେ କସରତ ଚାଲିଛି। ଆସନ୍ତା ଡିସେମ୍ବର ୨୬ରେ ବିଜେଡିର ପ୍ରତିଷ୍ଠା ଦିବସ। ସେହିଦିନ ନବୀନ ଉତ୍ତରାଧିକାରୀ ଘୋଷଣା କରିପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି। ଅବସରପ୍ରାପ୍ତ ଆଇଏଏସ୍ ଭି.କେ ପାଣ୍ଡିଆନଙ୍କ ପତ୍ନୀ ସୁଜାତା ରାଉତ କାର୍ତ୍ତିକେୟନ ଏବଂ ନବୀନଙ୍କ ପୁତୁରା ଅରୁଣ ପଟ୍ଟନାୟକଙ୍କ ମଧ୍ୟରୁ ଜଣଙ୍କୁ ଉତ୍ତରାଧିକାରୀ କରିବାକୁ ବିଜେଡିର କିଛି ନେତା ପ୍ରସ୍ତାବ ଦେଇଥିବା କୁହାଯାଉଛି। ବିଜେଡିର ଉତ୍ତରାଧିକାରୀ ଚର୍ଚ୍ଚାକୁ ଦଳର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର ଅସ୍ବୀକାର କରିନାହାନ୍ତି। ସଭାପତି ଘୋଷଣା କଲେ ସେ ସମ୍ପର୍କରେ ଜଣାପଡ଼ିବ ବୋଲି ଶ୍ରୀ ମିଶ୍ର ଗଣମାଧ୍ୟମକୁ କହିଛନ୍ତି।
ଦଳ ଭିତରେ ହେଉଥିବା ଆଲୋଚନା ମୁତାବକ, କିଛି ଦିନ ହେଲା ଦଳୀୟ ନେତା ନବୀନ ନିବାସ ଯାଉଛନ୍ତି। ନବୀନଙ୍କ ପାଖରେ ସେମାନେ ଦଳୀୟ ସଙ୍ଗଠନରେ ପାଣ୍ଡିଆନ ଦମ୍ପତିଙ୍କ ପ୍ରବେଶ ପାଇଁ କହୁଛନ୍ତି। ଡିସେମ୍ବର ୨୬ରେ ପ୍ରତିଷ୍ଠା ଦିବସ ପୂର୍ବରୁ ସୁଜାତାଙ୍କୁ ବିଜେଡିରେ ସାମିଲ କରି ଗୁରୁତ୍ବପୂର୍ଣ୍ଣ ପଦବୀ ଦେବା ପାଇଁ କ୍ଷେତ୍ର ପ୍ରସ୍ତୁତ କରାଯାଉଥିବା କୁହାଯାଉଛି। ଦଳର ବିଧାୟକ ଓ ପୂର୍ବତନ ବିଧାୟକଙ୍କୁ ନବୀନ ନିବାସ ଡକାଯାଇ ଏସବୁ କସରତ ହେଉଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ସୁଜାତା ବିଜେଡିରେ ମିଶିବା ପରେ ରାଜ୍ୟସଭା ଯାଇପାରନ୍ତି ବୋଲି ଆଲୋଚନା ହେଉଛି।
ବିଜେଡିର ଉତ୍ତରାଧିକାରୀ ପ୍ରସଙ୍ଗରେ ଦଳର ବରିଷ୍ଠ ଉପସଭାପତି ଶ୍ରୀ ମିଶ୍ର କହିଛନ୍ତି, ଯଦି ସେମିତି କରିବାର ଅଛି, ସଭାପତି ଯେତେବେଳେ ଘୋଷଣା କରିବେ ଜଣାପଡ଼ିବ। ଯଦି ଦଳରେ ସେଭଳି କିଛି ବିଧିବଦ୍ଧ ନିଷ୍ପତ୍ତି ହୁଏ ବା ସଭାପତି ନିର୍ଦେଶ ଦିଅନ୍ତି ସମସ୍ତେ ଜାଣିପାରିବେ। ତା’ପୂର୍ବରୁ ଚାଲିଥିବା ଚର୍ଚ୍ଚା ଆଲୋଚନାକୁ ନେଇ କିଛି କହିହେବ ନାହିଁ। ଶ୍ରୀ ମିଶ୍ର ଉତ୍ତରାଧିକାର ପ୍ରସଙ୍ଗକୁ ଅସ୍ବୀକାର କରି ନ ଥିବାରୁ ଏହା ଚର୍ଚ୍ଚାକୁ ଅଧିକ ଖୋରାକ ଯୋଗାଇଛି।
Powered by Froala Editor