ଏଣିକି ସାରା ରାଜ୍ୟରେ ସମାନ ରହିବ ବାଲି ଦର
ଭୁବନେଶ୍ବର: ଏଣିକି ଆଉ ବାଲି ବିକ୍ରିରେ ଚାଲିବନି ମନମାନି। ସାରା ରାଜ୍ୟରେ ସମାନ ରହିବ ବାଲି ଦର। ବେଆଇନ ଭାବେ ବାଲି ଉତ୍ତୋଳନ କରି କେହି ବିକ୍ରି କରିପାରିବେନି। ବାଲି ପାଇଁ ସରକାର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସ୍ପି) ନିର୍ଦ୍ଧାରଣ କରିବେ। ଲିଜ୍ଧାରୀ ଆଉ ମନଇଚ୍ଛା ଦର ବଢ଼ାଇ ପାରିବେନି। ସରକାର ନିର୍ଦ୍ଧାରଣ କରିଥିବା ଏମ୍ଏସ୍ପି ଦରରେ ହିଁ ବାଲି ବିକ୍ରି ହେବ। ରାଜ୍ୟ ସରକାର ଶୁକ୍ରବାର କ୍ୟାବିନେଟରେ ଏହି ନିଷ୍ପତ୍ତି ମଞ୍ଜୁର କରିଛନ୍ତି। ଏହାକୁ ନେଇ ଆରମ୍ଭ ହୋଇଛି କାଦୁଅଫିଙ୍ଗା ରାଜନୀତି। ବାଲି ମାଫିଆରାଜ ଲୋପ ପାଇବ ବୋଲି ସରକାର କହୁଥିବା ବେଳେ ବିଜେଡି କହୁଛି ରାଜସ୍ବ କମିବ। କଂଗ୍ରେସ ରାଜ୍ୟ ସରକାରଙ୍କୁ ନିଶାଣ କରି କହିଛି, ଉକ୍ତ ନିଷ୍ପତ୍ତି ଦଳୀୟ କର୍ମୀ ସନ୍ତୁଷ୍ଟିକରଣ ପାଇଁ ଉଦ୍ଦିଷ୍ଟ।
ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୂତିଭୂଷଣ ଜେନା କହିଛନ୍ତି, ବାଲିର କୃତ୍ରିମ ଅଭାବ ବିକ୍ରି, ବଜାରରେ ଅହେତୁକ ଅସନ୍ତୁଳନ ଦର ଏବଂ ଲୋକଙ୍କ ଅଭିଯୋଗକୁ ନେଇ ଶୁକ୍ରବାର କ୍ୟାବିନେଟରେ ଇ-ଟେଣ୍ଡର ନୁହେଁ; ବରଂ ଇ-ଲଟେରି ଜରିଆରେ ବାଲିଘାଟ ନିଲାମ ଦିଆଯିବା ପାଇଁ ନିଷ୍ପତ୍ତି ହୋଇଛି।
ଏମ୍ଏସ୍ପିଠାରୁ କେହି ଅଧିକ ଦରରେ ବିକ୍ରି କରିପାରିବେନାହିଁ। ଲଘୁ ଖଣି ଉତ୍ସ ଯେତେବେଳେ ଖଣି ଓ ଇସ୍ପାତ ବିଭାଗକୁ ଆସିଲା, ତା’ପୂର୍ବରୁ ୧୦ କୋଟି ଟଙ୍କା ଜୋରିମାନା ଆଦାୟ ହୋଇଥିଲା। ବିଭାଗକୁ ଆସିଲା ପରେ ଏବଂ ବିଜେପି ସରକାର ଦାୟିତ୍ବ ନେଲା ପରେ ୪୦ କୋଟି ଟଙ୍କା ଜୋରିମାନା ଆଦାୟ ପହଞ୍ଚିଛି। ୧୦୪୮କୋଟି ଟଙ୍କା ରାଜସ୍ବ ଆସୁଥିବାବେଳେ ବର୍ତ୍ତମାନ ସ୍ଥିତିରେ ଏହା ୧୭୭୬କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଗୋଟିଏ ଟ୍ରାକ୍ଟର ବାଲି ୨ସିଏମ। ଏହାର ମୂଲ୍ୟ ପ୍ରାୟ ୨୫୦ ଟଙ୍କାରୁ ୩୦୦ ଟଙ୍କା ମଧ୍ୟରେ ରହିବ। ସେହିପରି ନିଲାମ ନେଇଥିବା ଲୋକ ବିନା ଷ୍ଟୋରେଜ୍ ଲାଇସେନ୍ସରେ ବାଲି ଷ୍ଟୋରେଜ୍ କରିପାରିବନାହିଁ। ମୌସୁମୀ ଋତୁରେ ବାଲି ଷ୍ଟୋରେଜ୍ ପାଇଁ ସରକାର ଲିଜ୍ଧାରୀଙ୍କୁ ଷ୍ଟୋରେଜ୍ ଲାଇସେନ୍ସ ଦେବେ।
Powered by Froala Editor