ଲିଜ୍ ଆବଣ୍ଟନ ପାଇଁ ହେବ ଇ-ଲଟେରି
ରାଜ୍ୟରେ ଲଘୁ ଖଣି ଲିଜ୍ ଆବଣ୍ଟନ ପାଇଁ ଇ-ଲଟେରି ବ୍ୟବସ୍ଥା ପ୍ରଚଳନ କରିଛନ୍ତି ରାଜ୍ୟ ସରକାର। ରାଜ୍ୟ କ୍ୟାବିନେଟ ବୈଠକରେ ଏହି ତିନି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ସମେତ ମୋଟ ୧୨ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ୩୦ତମ ବୈଠକ ଶୁକ୍ରବାର ହୋଇଥିଲା।
ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ବୈଠକର ନିଷ୍ପତ୍ତି ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, କ୍ୟାବିନେଟ ବୈଠକରେ ୯ଟି ବିଭାଗର ୧୨ ପ୍ରସ୍ତାବ ଉପରେ ଆଲୋଚନା ସହ ଅନୁମୋଦନ ମିଳିଛି। ସରକାରଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ଓଡ଼ିଶା ଲଘୁ ଖଣିଜ ରିଆତି ନିୟମ ୨୦୧୬ରେ ସଂଶୋଧନ କରାଯାଇଛି।
ରାଜ୍ୟରେ ଲଘୁ ଖଣି ଲିଜ୍ ଆବଣ୍ଟନ ଏଣିକି ଇ-ଲଟେରି ବ୍ୟବସ୍ଥା ଅନୁସାରେ ହେବ। ଏହି ନୂଆ ବ୍ୟବସ୍ଥା ଲଘୁ ଖଣିଜ ଉତ୍ସଗୁଡ଼ିକର ଆବଣ୍ଟନ ଏବଂ କାର୍ଯ୍ୟକ୍ଷମତାକୁ ତ୍ବରାନ୍ବିତ କରିବା ସହ ଯୋଗାଣ-ଚାହିଦା ମଧ୍ୟରେ ଥିବା ବ୍ୟବଧାନକୁ ହ୍ରାସ କରିବ। ସୁଲଭ ମୂଲ୍ୟରେ ଲଘୁ ଖଣିଜ ଯୋଗାଣ ସୁନିଶ୍ଚିତ ହେବ। ଏହାଛଡ଼ା ଘରୋଇ ଜମି ଓ ଇଡ୍କୋ ଲିଜ୍ ପ୍ରାପ୍ତ ଜମିରେ କୌଣସି ଉନ୍ନୟନମୂଳକ କାର୍ଯ୍ୟ ସମୟରେ ଉତ୍ତୋଳିତ ଲଘୁ ଖଣିଜର ବିନିଯୋଗ ପାଇଁ ନୂତନ ବ୍ୟବସ୍ଥା ପ୍ରଚଳନ କରାଯାଇଛି।
ସେହିପରି ରାଜ୍ୟରେ ଖଣିଜ ପଦାର୍ଥର ଚୋରା ଚାଲାଣ ଓ ବେଆଇନ ଖନନ ରୋକିବା ପାଇଁ ‘ଓଡ଼ିଶା ଖଣିଜ ପଦାର୍ଥ ନିୟମାବଳୀ ୨୦୨୫ ପ୍ରଣୟନ ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ ମିଳିଛି। ଏହା ପୁରୁଣା ୨୦୦୭ ନିୟମାବଳୀକୁ ଉଚ୍ଛେଦ କରିବ। ଏହି ନୂତନ ନିୟମ ଦ୍ୱାରା ଖଣିଜ ପ୍ରଶାସନ ଅଧିକ ଦକ୍ଷ ହେବ ଏବଂ ବେଆଇନ କାରବାର ଉପରେ ଅଙ୍କୁଶ ଲଗାଯାଇପାରିବ।
ସେହିପରି ପୁଲିସ ଓ ଅନ୍ୟାନ୍ୟ ୟୁନିଫର୍ମ ସେବା ପାଇଁ ନିଯୁକ୍ତି ପରୀକ୍ଷାରେ ଅନିୟମିତତା ଅଭିଯୋଗ ଆସିବା ପରେ ରାଜ୍ୟ ସରକାର ‘ଓଡ଼ିଶା ୟୁନିଫର୍ମଡ୍ ସର୍ଭିସ ଷ୍ଟାଫ ସିଲେକ୍ସନ କମିସନ’ ବା ଓଡ଼ିଶା ୟୁନିଫର୍ମ ସେବା କର୍ମଚାରୀ ମନୋନୟନ ଆୟୋଗ ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି।
Powered by Froala Editor