ଜିଲାପାଳମାନଙ୍କୁ ମିସନ୍ ପାୱାର ମନ୍ତ୍ର ଦେଲେ ମୁଖ୍ୟମନ୍ତ୍ରୀ
ଦୁଇ ଦିନିଆ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକ ସମ୍ମିଳନୀ ଭୁବନେଶ୍ବରଠାରେ ଆରମ୍ଭ ହୋଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ଜିଲାପାଳମାନଙ୍କୁ ୯ଟି ଟାସ୍କ ଦେଇଛନ୍ତି।
ଅଭିଭାଷଣ ରଖି ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନ ଲକ୍ଷ୍ୟରେ ବିଭିନ୍ନ ପରାମର୍ଶ ଦେଇଛନ୍ତି। ଏଥିରେ ମୁଖ୍ୟ ଶାସନ ସଚିବ ଅଧିକ ଫିଲ୍ଡ ଭିଜିଟ୍ କରିବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ରାଜସ୍ୱ ମନ୍ତ୍ରୀ ସରକାରୀ କାର୍ଯ୍ୟାଳୟକୁ ଦଲାଲମୁକ୍ତ କରିବାକୁ ଆହ୍ୱାନ କରିଛନ୍ତି ।
ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମିସନ୍ ପାୱାରକୁ ଗୁରୁତ୍ୱ ଦେଇଛନ୍ତି । ସେ ଜିଲ୍ଲାପାଳଙ୍କ ସମ୍ମିଳନୀରେ ସରକାରୀ ଦପ୍ତରରେ ଓଡ଼ିଆ ଭାଷାର କାର୍ଯ୍ୟକାରିତାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି । ବିଭିନ୍ନ ବିଭାଗର ଚିଠିପତ୍ର ଓ ବିଜ୍ଞପ୍ତି ଓଡ଼ିଆରେ ଲେଖିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ଏବଂ ଓଡ଼ିଆ ଭାଷାକୁ ସରକାରୀ ସ୍ତରରେ ତୁରନ୍ତ କାର୍ଯ୍ୟକାରୀ କରିବାକୁ କହିଛନ୍ତି ।
ଏପରିକି ଜିଲାପାଳମାନଙ୍କୁ ଅଧିକ କ୍ଷେତ୍ର ପରିଦର୍ଶନ କରି ଟେକ୍ନୋଲୋଜିର ବ୍ୟବହାରକୁ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଛନ୍ତି। ଅଧିକାରୀଙ୍କୁ ଜିଲାସ୍ତରରେ ଲୋକଙ୍କ ଅଭିଯୋଗ ଶୁଣି ତୁରନ୍ତ ସମାଧାନ କରିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି।
ସୋସିଆଲ ମିଡିଆ ଜରିଆରେ ସରକାରୀ ସୂଚନାକୁ ବ୍ୟାପକ କରିବାକୁ ସମ୍ମିଳନୀରେ କୁହାଯାଇଛି। ଅନ୍ୟପକ୍ଷେ ଗାଦି ମଡ଼ା ବାବୁଙ୍କୁ ଚିହ୍ନଟ କରି ତୁରନ୍ତ ବଦଳାଇବାକୁ ମୁଖ୍ୟମନ୍ତ୍ରୀ ଜିଲାପାଳମାନଙ୍କୁ କହିଛନ୍ତି।
Powered by Froala Editor