୨୪ରୁ ବରଗଡ଼ ଧନୁଯାତ୍ରା, ସୁଶୀଲ ମେହେର ହେବେ କଂସ
ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ଡିସେମ୍ବର ମାସ ୨୪ ତାରିଖରୁ ଆରମ୍ଭ ହେବ। ବିଶ୍ୱପ୍ରସିଦ୍ଧ ବରଗଡ ଧନୁଯାତ୍ରା ପାଇଁ ପରବର୍ତ୍ତୀ କଂସ ଭାବେ ଚୟନ ହୋଇଛନ୍ତି ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ଚିଚିଣ୍ଡା ଗ୍ରାମର ସୁଶୀଲ ମେହେର । ଦୀର୍ଘ ୧୧ଦିନ ବ୍ୟାପୀ ଆସନ୍ତା ୨୦୨୬ ଜାନୁଆରୀ ୩ ତାରିଖ ପର୍ଯ୍ୟନ୍ତ ଏହି ମହୋତ୍ସବ ଚାଲିବ।
୪୪ଜଣ କଳାକାର କଂସ ଭୂମିକା ପାଇଁ ଆବେଦନ କରିଥିବା ବେଳେ ୩୬ଜଣ କଳାକାର ଅଡିସନରେ ଅଂଶଗ୍ରହଣ କରିଥିଲେ । ୩୫ଜଣ କଳାକାରଙ୍କୁ ପଛରେ ପକାଇ ବିଚାରକ ମଣ୍ଡଳୀର ହୃଦୟ ଜିତିଥିଲେ ସୁଶୀଲ । ପୂର୍ବରୁ ରାବଣ ଭଳି ଚରିତ୍ରରେ ଅଭିନୟ କରିଥିଲେ ସୁଦ୍ଧା ପ୍ରଥମ ଥର ବିଶ୍ୱ ପ୍ରସିଦ୍ଧ ବରଗଡ ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରିବେ ।
ସେହିପରି ପ୍ରଭାସ କୁମାର ତ୍ରିପାଠୀ ମୁଷ୍ଟିକ, ହିମାଂଶୁ ସାହୁ ଚାଣୁର, ଆର୍ତ୍ତତ୍ରାଣ ମହାପାତ୍ର ଉଗ୍ରସେନ, କାମରାଜ ଭୋଇ ନାରଦ, ମନୋଜ ସାହୁ ବସୁଦେବ, ଜଗନ୍ନାଥ ସାହୁ ଅକ୍ରୂର, ଜଗବନ୍ଧୁ ମହାଲିଙ୍ଗ ସାର୍ତ୍ତକୀ, ଅମ୍ବାଭୋନାର ହେମନ୍ତ ପ୍ରଧାନ ସେନାପତି, ଗୁଲାବ ଚନ୍ଦ୍ର ଦାଶ ମହାମନ୍ତ୍ରୀ ଚରିତ୍ର ପାଇଁ ଚୟନ ହୋଇଛନ୍ତି। ଧନୁଯାତ୍ରା ମହୋତ୍ସବ ସମିତି ଉପସଭାପତି ବରଗଡ଼ ଅତିରିକ୍ତ ଜିଲାପାଳ ମହେନ୍ଦ୍ର ମହାପାତ୍ର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଏହା ଘୋଷଣା କରିଛନ୍ତି।
Powered by Froala Editor