ସହଜ ହେବ ଜମି ପଟ୍ଟା ସଂଶୋଧନ
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜମି କ୍ରେତା-ବିକ୍ରେତାଙ୍କ ସମସ୍ୟାକୁ ଦୂର କରିବା ପାଇଁ ଓଡ଼ିଶା ସର୍ଭେ ଆଣ୍ଡ ସେଟଲମେଣ୍ଟ ରୁଲ୍ସର ସଂଶୋଧନ ପାଇଁ ଅନୁମୋଦନ ଦେଇଛନ୍ତି। ଏଣିକି ପୁରୁଣା ପଞ୍ଜୀକୃତ କବଲା ସଂଶୋଧନ କରିବାର କ୍ଷମତା ତହସିଲଦାରଙ୍କୁ ପ୍ରଦାନ କରାଯାଇଛି। ଅନ୍ୟାନ୍ୟ ବୈଧ ଦଲିଲ ସମ୍ବନ୍ଧୀୟ ଜମିଜମା ରେକର୍ଡର ସଂଶୋଧନ କ୍ଷମତା ମଧ୍ୟ ତହସିଲଦାରଙ୍କୁ ମିଳିଛି। ଏହି ନିଷ୍ପତ୍ତି ଫଳରେ ଜମି ମାମଲାରେ ଆଉ ରାଜସ୍ବ ପର୍ଷଦ (Revenue Board) କିମ୍ବା ଅନ୍ୟାନ୍ୟ ରିଭିଜନ କୋର୍ଟରେ ଅପିଲ କରିବାର ଆବଶ୍ୟକତା ପଡ଼ିବ ନାହିଁ।
ବର୍ତ୍ତମାନ ପ୍ରାବଧାନ ଅନୁସାରେ, ବନ୍ଦୋବସ୍ତ ପ୍ରକ୍ରିୟା (Settlement Operation) ପୂର୍ବରୁ କିଣିଥିବା ଜମିର ପଟ୍ଟା (RoR) ବନ୍ଦୋବସ୍ତ ଅଧିକାରୀ (Settlement Officer) କ୍ରେତାଙ୍କ ନାମରେ କରିଥାଆନ୍ତି। କିନ୍ତୁ ଯଦି କୌଣସି କାରଣ ଯୋଗୁ ବନ୍ଦୋବସ୍ତ ପ୍ରକ୍ରିୟାରେ(Settlement Operation) ଏହି ଜମିପଟ୍ଟା କ୍ରେତାଙ୍କ ନାମରେ କରାଯାଇ ନ ଥାଏ, ତେବେ କ୍ରେତା ଏଥିପାଇଁ ରାଜସ୍ୱ ପର୍ଷଦ (Board of Revenue) ବା ଅନ୍ୟ କ୍ଷମତାପ୍ରାପ୍ତ ରିଭିଜନ କୋର୍ଟ (Revision Court)ରେ ଅପିଲ୍ କରିଥାନ୍ତି ।
ଅତ୍ୟଧିକ କାର୍ଯ୍ୟଭାର ଯୋଗୁ, ଏହି ଅପିଲଗୁଡିକ ବର୍ଷ ବର୍ଷ ଧରି ଫଇସଲା ନ ହୋଇ ପଡି ରହିଥାଏ । କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଅନୁମୋଦିତ ଉପରୋକ୍ତ ନିୟମ ସଂଶୋଧନ ଦ୍ବାରା ବର୍ତ୍ତମାନ ଏପରି ମାମଲାରେ ଜମିପଟ୍ଟା କ୍ରେତାଙ୍କ ନାମରେ ରେକର୍ଡ କରିବା ପାଇଁ ସଂପୃକ୍ତ ତହସିଲଦାରମାନେ କ୍ଷମତାପ୍ରାପ୍ତ ହେବେ।
ଏହାଦ୍ବାରା ସଂପୃକ୍ତ କ୍ରେତାମାନେ ବନ୍ଦୋବସ୍ତ ପ୍ରକ୍ରିୟା (Settlement Operation) ପୂର୍ବରୁ ବୈଧ ଭାବେ କିଣିଥିବା ଜମିର ଜମିପଟ୍ଟା ନିଜ ନାମରେ କରିବା ପାଇଁ ସଂପୃକ୍ତ ତହସିଲଦାରଙ୍କ ପାଖରେ ଆବେଦନ କରିପାରିବେ । ସେମାନଙ୍କୁ ରାଜସ୍ବ ପର୍ଷଦ ବା ଅନ୍ୟ କ୍ଷମତାପ୍ରାପ୍ତ ରିଭିଜନ କୋର୍ଟରେ ଅପିଲ ବା ଆବେଦନ କରିବାକୁ ପଡ଼ିବ ନାହିଁ।
Powered by Froala Editor