ରାୟଗଡ଼ା ଜିଲ୍ଲାପାଳଙ୍କ ନାଁରେ ନକଲି ଫେସବୁକ ଆକାଉଣ୍ଟ
ରାୟଗଡ଼ା ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣିଙ୍କ ନାଁରେ ଏକ ନକଲି ଫେସବୁକ ଆକାଉଣ୍ଟ ମାଧ୍ୟମରେ ଜିଲ୍ଲାରେ ଲୋକଙ୍କୁ ଭୁଆଁ ବୁଲାଉଛନ୍ତି ସାଇବର ଅପରାଧୀ । ରାୟଗଡ଼ା ସହରର ଜଣେ ଯୁବକ ଅଂଶୁମାନ ପଟ୍ଟନାୟକ ଏ ନେଇ ସୂଚନା ଦେଇଛନ୍ତି। ଏ ନେଇ ଏସପି ସ୍ୱାଥି ଏସ.କୁମାରଙ୍କୁ ପଚାରିବାରୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ଫେସବୁକକୁ ଏହାର ସୂଚନା ଦିଆଯିବା ସହିତ ତଥ୍ୟ ମଗାଯାଇଛି ବୋଲି କହିଛନ୍ତି ।
ଅଂଶୁମାନଙ୍କ କହିବାନୁସାରେ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣିଙ୍କ ନାମ ଓ ଫଟୋ ରହିଥିବା ଏକ ଫେସବୁକ ପ୍ରୋଫାଇଲରୁ ବନ୍ଧୁତା ପାଇଁ ଅନୁରୋଧ ଆସିଥିଲା । ଅଂଶୁମାନ ଏହା ଜିଲ୍ଲାପାଳଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟ ଭାବି ବନ୍ଧୁତା ଅନୁରୋଧକୁ ଗ୍ରହଣ ପୂର୍ବକ ଉକ୍ତ ଆକାଉଣ୍ଟ ସହ ଯୋଡ଼ି ହୋଇଥିଲେ ।
ଏହାପରେ ଉକ୍ତ ଆକାଉଣ୍ଟରୁ ଫେସବୁକ ମେସେଞ୍ଜର ମାଧ୍ୟମରେ ଅଂଶୁମାନଙ୍କୁ ନମସ୍କାର ସହିତ ମୋବାଇଲ ନମ୍ବର ମାଗିଥିଲେ । ଏଥି ସହିତ ତାଙ୍କର ଜଣେ ବନ୍ଧୁ ସିଆରପିଏଫ୍ ଅଫିସର ଏବଂ ବଦଳି କାରଣରୁ ନିଜର ସମସ୍ତ ଘରକରଣା ସାମଗ୍ରୀ ବିକ୍ରି କରିଦେବେ କହୁଛନ୍ତି । ତେଣୁ ଆପଣ ଯଦି କିଣିବାକୁ ରାଜି ତେବେ ସେ ଆପଣଙ୍କୁ ଫୋନ କରିବେ ବୋଲି ସେଥିରେ ମେସେଜରେ ଉଲ୍ଲେଖ କରିଛନ୍ତି । ହେଲେ ପରବର୍ତ୍ତି ସମୟରେ ଅଂଶୁମାନଙ୍କୁ ସନ୍ଦେହ ହେବାରୁ ସେ ଏ ନେଇ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସୂଚନା ଦେଇଥିଲେ ।
ଗଣମାଧ୍ୟମ ପ୍ରତିନିଧି ଏ ନେଇ ଜିଲ୍ଲାପାଳଙ୍କୁ ସୂଚନା ଦେବା ପରେ ଜିଲ୍ଲାପାଳ ଶ୍ରୀ କୁଲକର୍ଣ୍ଣି ପୁଲିସକୁ ଏହାର ଯାଞ୍ଚ କରି ଉକ୍ତ ଆକାଉଣ୍ଟକୁ ସୋସିଆଲ ମିଡ଼ିଆରୁ ହଟାଇବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି ।
Powered by Froala Editor