ବାଲିଯାତ୍ରା ପଡିଆରେ ଲୋକଙ୍କୁ ଅସ୍ତବ୍ୟସ୍ତ କରୁଛି ଡଷ୍ଟ୍
କଟକ: କାହା ମୁହଁରେ ମାସ୍କ ତ ଆଉ କିଏ ରୁମାଲ ଭିଡ଼ିଛି। ଛୋଟ ପିଲାମାନଙ୍କୁ ମା’ ମାନେ ଓଢ଼ଣି ନହେଲେ ଶାଢ଼ି କାନିରେ ଘୋଡ଼ାଇ ବାଲିଯାତ୍ରା ବୁଲୁଛନ୍ତି। ଚାରିଆଡ଼େ ଧୂଳିର ଆସ୍ତରଣ। ଯାତ୍ରା ବୁଲି ସାରିବା ପରେ ପୋଷାକର ରଙ୍ଗ ସମ୍ପୂର୍ଣ୍ଣ ବଦଳି ଯାଉଛି। ଏଭଳି ସ୍ଥିତି କଟକ ବାଲିଯାତ୍ରାର।
୫ କୋଟିରୁ ଅଧିକ ଖର୍ଚ୍ଚ କରାଯାଇ ତଳ ବାଲିଯାତ୍ରା ପଡ଼ିଆରେ ମୋରମ ପଡ଼ିଲା। ଧୂଳି ଯେପରି ନ ଉଡ଼ିବ ସେଥିପାଇଁ ଦୈନିକ ରସାୟନ (କେମିକାଲ) ମିଶ୍ରିତ ପାଣି ସିଞ୍ଚନ ପାଇଁ ବ୍ୟବସ୍ଥା କରାଯାଇଥିଲା। ଏଥିପାଇଁ ଲକ୍ଷାଧିକ ବ୍ୟୟ ଅଟକଳ ବି କରାଯାଇଛି। ଯାତ୍ରା ଆରମ୍ଭର ତିନିଦିନ ନବିତୁଣୁ ଅବସ୍ଥା ବେହାଲ ହୋଇଗଲାଣି। ପାଣି ପଡ଼ୁଥିଲେ ବି ସେଥିରେ କେମିକାଲ ନାହିଁ। ପାଣି ପଡ଼ିଲେ କାଦୁଅ ହେଉଛି, ଶୁଖିଗଲେ ପୁଣି ଧୂଳି ଉଡ଼ୁଛି। ଯିଏ ବି ବାଲିଯାତ୍ରା ବୁଲୁଛି, ପର ଦିନ ନାକ ବନ୍ଦ ସାଙ୍ଗକୁ ଖୁଁଖାଁ ହେଉଛନ୍ତି।
ବାଲିଯାତ୍ରାକୁ ଧୂଳିମୁକ୍ତ ବା ‘ଡଷ୍ଟ୍ ଫ୍ରି’ କରିବାକୁ ପ୍ରଶାସନ ପକ୍ଷରୁ ପ୍ରତିବର୍ଷ ପଦକ୍ଷେପ ଗ୍ରହଣ କରାଯାଉଛି। ଦୁଇମାସ ଆଗରୁ ମୋରମ ପଡ଼ିବା ଆରମ୍ଭ ହୋଇଥିଲା; ଏଥିପାଇଁ ଠିକାଦାର ମନୋନୟନ କରାଯାଇ କାମ ଦିଆଯାଇଥିଲା। ମୋରମର ମାନ ନିମ୍ନମାନର ହେବା ସାଙ୍ଗକୁ କେମିକାଲ୍ ସ୍ପ୍ରେ’ କରାନଯିବା ଯୋଗୁଁ ଏଥର ପରିସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ଯେଉଁ ଅବ୍ୟବସ୍ଥା ପ୍ରଥମ ଦିନରୁ ହିଁ ଦେଖିବାକୁ ମିଳିଥିଲା। ତଳ ପଡ଼ିଆରେ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଅବତରଣ ବେଳେ ସ୍ଥାନୀୟ ଅଞ୍ଚଳରେ ଧୂଳିର ଝଡ଼ ସୃଷ୍ଟି ହୋଇଥିଲା। ତେବେ ଏହି ମୋରମ ବିଛାଇବା କାର୍ଯ୍ୟ ଖୋଦ୍ ଜିଲାପାଳଙ୍କ ତତ୍ତ୍ବାବଧାନରେ ହୋଇଥିଲା। ବିଭିନ୍ନ ବିଭାଗ ସହ ସମନ୍ବୟ ରକ୍ଷା କରି କାର୍ଯ୍ୟର ସମୀକ୍ଷା କରିଥିଲେ। ଏହା ସତ୍ତ୍ବେ ପୂର୍ତ୍ତ ବିଭାଗ ଦ୍ବାରା ପକାଯାଇଥିବା ୫ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ମୋରମ ଲୋକଙ୍କୁ ଅସ୍ତବ୍ୟସ୍ତ କରୁଛି।
Powered by Froala Editor