ବିଶ୍ୱର ଶସ୍ତା ହୋଟେଲ, ରାତିକୁ ଭଡ଼ା ୨୦ ଟଙ୍କା
ହୋଟେଲରେ ରହିବାକୁ ହେଲେ ବଜେଟ୍ କେତେ ଥାଏ? ୫୦୦ରୁ ନେଇ କେତେ ହଜାର ଟଙ୍କା ହୋଇଥିବ । ହେଲେ ବିଶ୍ୱର ସବୁଠୁ ଶସ୍ତା ହୋଟେଲ ଅଛି ପାକିସ୍ତାନରେ ଯାହାର ଭଡ଼ା ରାତିକୁ ମାତ୍ର ୨୦ ଟଙ୍କା । ଏହି ହୋଟେଲର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯାତ୍ରୀ ରାତିକୁ ମାତ୍ର ୨୦ ଟଙ୍କାରେ ଶଯ୍ୟା ସହିତ ଆତିଥ୍ୟ ମଧ୍ୟ ପାଇପାରିବେ ବୋଲି ଭିଡିଓ ଦର୍ଶାଇଛି ।
ପାକିସ୍ତାନର ପେଶାୱର ସହରରେ ଅବସ୍ଥିତ ଏହି ହୋଟେଲ ବିଷୟରେ ଜଣେ ଭ୍ରମଣ ବ୍ଲଗର୍ ଭିଡିଓ କରିବା ପରେ ତାହା ଇଣ୍ଟର୍ନେଟ୍ରେ ଭାଇରାଲ ହେଉଛି । ବ୍ରିଟିଶ ଭ୍ରମଣ ବ୍ଲଗର ଡେଭିଡ୍ ସିମ୍ପସନ୍ ନିକଟରେ ଏହି ହୋଟେଲରେ ରହଣିର ଏକ ଭିଡିଓ ଶେୟାର କରିଛନ୍ତି । ଭିଡିଓରେ ସେ ଦର୍ଶାଇଛନ୍ତି ଯେ ହୋଟେଲରେ ଗୋଟିଏ ରାତି ରହିବା ପାଇଁ ମାତ୍ର ୭୦ ପାକିସ୍ତାନୀ ଟଙ୍କା ଦେବାକୁ ପଡ଼େ । ଭାରତୀୟ ମୁଦ୍ରାରେ ଏହା ମାତ୍ର ୨୦ ଟଙ୍କା ।
ଡେଭିଡ୍ କହିଛନ୍ତି, ମୁଁ ପଞ୍ଚତାରକା ହୋଟେଲରେ ରହିଛି । କିନ୍ତୁ ଏଠାରେ ଯେଉଁ ଉଷ୍ମତା ମୁଁ ଅନୁଭବ କଲି, ତାହା ଅତୁଳନୀୟ । ହୋଟେଲ ମାଲିକ ବ୍ୟକ୍ତିଗତ ଭାବେ ପ୍ରତ୍ୟେକ ଅତିଥିଙ୍କୁ ସ୍ୱାଗତ କରନ୍ତି ଏବଂ ଏ ସ୍ଥାନର ଶତାବ୍ଦୀ ପୁରୁଣା ଐତିହ୍ୟର କାହାଣୀ ଶୁଣାନ୍ତି । ଏହି ଅନୁଭବକୁ ସେ ଅବାସ୍ତବ ବୋଲି କହିଛନ୍ତି ।
ପେଶାୱର୍ର ଓଲ୍ଡ କ୍ୱାର୍ଟର୍ସରେ ଅବସ୍ଥିତ ଏହି ହୋଟେଲର ନାଁ ‘କାରାଭାନ୍ସେରାଇ’ । ଏଠାରେ କୌଣସି ରୁମ୍ ନାହିଁ । ଏସି କିମ୍ବା କୌଣସି ପ୍ରକାର ତାମ୍ଝାମ୍ ବି ନାହିଁ । ଘରର ଛାତ ଉପରେ ପଡ଼ିଥିବା ପାରମ୍ପରିକ ବୁଣା ଖଟିଆରେ ଅତିଥି ଖୋଲା ଆକାଶ ତଳେ ଶୁଅନ୍ତି । ପ୍ରତି ଖଟିଆର ମୂଲ୍ୟ ରାତିକୁ ୭୦ ପାକିସ୍ତାନୀ ଟଙ୍କା । ଏଠି ଗୋଟିଏ ସଫା ବେଡ୍ସିଟ୍, ଫ୍ୟାନ୍, ସମସ୍ତଙ୍କ ପାଇଁ ଗୋଟିଏ ସ୍ନାନାଗାର ଓ ନିଃଶୁଳ୍କ ଚା’ ମିଳେ ।
Powered by Froala Editor