ନିଲାମ ହେବ ଶୁଦ୍ଧ ସୁନାର ଶୌଚାଳୟ
ଆମେରିକାରେ ନିଲାମ ହେବାକୁ ଯାଉଛି ବିଶ୍ୱର ସବୁଠୁ ଦାମୀ ଶୌଚାଳୟ। ପ୍ରସିଦ୍ଧ ନିଲାମକାରୀ ସଂସ୍ଥା ସୋଥବୀ ଅନୁସାରେ, ଶୁଦ୍ଧ ସୁନାରେ ତିଆରି ‘ଆମେରିକା’ ନାମକ ଏହି ସଂରଚନାକୁ ଇଟାଲୀୟ କଳାକାର ମାରିଜିଓ କ୍ୟାଟଲନ୍ ପ୍ରସ୍ତୁତ କରିଛନ୍ତି । ଏହି ଶୌଚାଳୟକୁ ତିଆରି କରିବାକୁ ୧୦୧.୨ କିଲୋଗ୍ରାମରୁ ଅଧିକ ଶୁଦ୍ଧ ସୁନା ବ୍ୟବହାର ହୋଇଛି । ଏହାର ଲୁକ୍ ଇଂଲଣ୍ଡର ବ୍ଲେନ୍ହେମ ପ୍ୟାଲେସ୍ରୁ ୨୦୧୯ରେ ଚୋରି ହୋଇଥିବା ପ୍ରସିଦ୍ଧ ସୁନା ଶୌଚାଳୟ ସହ ସମାନ ।
ସୋଥବୀର ଜଣେ କର୍ମକର୍ତ୍ତା ଡେଭିଡ୍ ଗାଲ୍ପେରିନ୍ କହିଛନ୍ତି, ମାରିଜିଓ କ୍ୟାଟଲନ୍ ୨୦୧୬ ମସିହାରେ ‘ଆମେରିକା’ର ଦୁଇଟି ସଂସ୍କରଣ ପ୍ରସ୍ତୁତ କରିଥିଲେ । ବର୍ତ୍ତମାନ ଯାହା ନିଲାମ ହେବାକୁ ଯାଉଛି ତାହା ୨୦୧୭ରୁ ଜଣେ ଅଖ୍ୟାତ ସଂଗ୍ରହକାରୀଙ୍କ ନିକଟରେ ଥିଲା । ଦ୍ୱିତୀୟ ସଂସ୍କରଣଟି ୨୦୧୬ରେ ନ୍ୟୁୟର୍କର ଗୁଗେନ୍ହାଇମ୍ ସଂଗ୍ରହାଳୟସ୍ଥିତ ଏକ ବାଥ୍ରୁମ୍ରେ ପ୍ରଦର୍ଶନ କରାଯାଇଥିଲା ।
ଏଭଳିକ୍ଷେତ୍ରରେ ନିଲାମୀ ଲାଗି ପ୍ରାରମ୍ଭିକ ମୂଲ୍ୟ ଭାରତୀୟ ମୁଦ୍ରାରେ ୮୩ କୋଟି ଟଙ୍କା ରଖାଯାଇଛି । ନିଲାମୀ ଉଦ୍ଦେଶ୍ୟରେ ‘ଆମେରିକା’କୁ ସୋଥବୀର ନ୍ୟୁୟର୍କସ୍ଥିତ ମୁଖ୍ୟାଳୟରେ ନଭେମ୍ବର ୮ ତାରିଖରୁ ପ୍ରଦର୍ଶିତ କରାଯିବ ।
Powered by Froala Editor