୩ କିଲୋମିଟର ଲମ୍ବା ଲାଇନରେ ଛିଡା ହେବା ପରେ ଶ୍ରୀରାଧାରାଣୀଙ୍କ ପାଦ ଦର୍ଶନ କଲେ ଭକ୍ତ
ସାକ୍ଷୀଗୋପାଳ: ଅଳାଁ ନବମୀ ପାଇଁ ଚଳିତ ବର୍ଷ ୨ଲକ୍ଷରୁ ଅଧିକ ଭକ୍ତ ୩କିଲୋମିଟର ପର୍ଯ୍ୟନ୍ତ ଲମ୍ବା ଲାଇନରେ ଛିଡା ହେବା ପରେ ଠାକୁରାଶୀ ଶ୍ରୀରାଧାରାଣୀଙ୍କ ଦର୍ଶନ କରିଛନ୍ତି ।
ସାକ୍ଷୀଗୋପାଳର ଏହି ରାଧାରାଣୀ ଉତ୍ତର ଭାରତ ଅଞ୍ଚଳରୁ ଆସିଥିବାରୁ ଉତ୍ତର ଭାରତୀୟ ବେଶଭୂଷା ପରିଧାନ କରିଥାନ୍ତି । ଫଳରେ ବର୍ଷ ସାରା ଠାକୁରାଣୀଙ୍କ ପାଦପଦ୍ମ ପିନ୍ଧା ବସନରେ ଆବୃତ୍ତ ହୋଇ ରହିଥାଏ । ପବିତ୍ର ଅଁଳା ନବମୀ ତିଥିରେ ଗୋଟିଏ ଦିନ ନିମନ୍ତେ ରାଧାରାଣୀ ଓଡ଼ିଆଣୀ ବେଶ ହୋଇ କାଣୀଆ କଛା ମାରିଥାନ୍ତି । ଯାହା ଫଳରେ ଠାକୁରାଣୀଙ୍କ ପିନ୍ଧା ବସନ ପାଦପଦ୍ମ ଉପରକୁ ଉଠି ରହିଥାଏ ଏବଂ ଭକ୍ତ ମାନଙ୍କୁ ଠାକୁରାଣୀଙ୍କ ପାଦପଦ୍ମ ଦେଖିବାର ସୁଯୋଗ ମିଳିଥାଏ ।
ଏହି ବେଶରେ ଠାକୁରାଣୀ ନୂତନ ପାଟବସ୍ତ୍ର ପରିଧାନ କରି କାଣୀଆ କଛା ମାରିଥିଲେ । କାନିରେ ଅରୁଆ ଚାଉଳ, ଦୁବ ଓ ଗୁଆ ବନ୍ଧା ଯାଇଥିଲା । ଠାକୁରାଣୀ ପାଦରେ ଅଳତା ଓ ଆଖିରେ କଜ୍ଜ୍ୱଳ ଲଗାଇଥିଲେ । ଠାକୁରାଣୀଙ୍କ ମସ୍ତକରେ ସୁବର୍ଣ୍ଣ କିରୀଟ, ଗଳାରେ ସୁବର୍ଣ୍ଣ ଅଁଳା ଫଳ ମାଳ ଓ ଡାଇମଣ୍ଡ କଟା ଚାପସରୀ, ଅଣ୍ଟାରେ ସୁବର୍ଣ୍ଣ ବେଙ୍ଗ ପାଟିଆ ମାଳ, ସୁବର୍ଣ୍ଣ ଚକି ମାଳ, ସୁବର୍ଣ୍ଣ କମରପଟି ସୁବର୍ଣ୍ଣ ଚାରି ସରିଆ ଚନ୍ଦ୍ର ହାର ଶିକୁଳି, ବାହୁରେ ସୁବର୍ଣ୍ଣ ଡେଉଁରୀଆ ମାଳ, ସୁବର୍ଣ୍ଣ ତାବିଜ ମାଳ ଓ ସୁବର୍ଣ୍ଣ ତାବିଜ, ହାତରେ ସୁବର୍ଣ୍ଣ ବାଘନଖି ମାଳ, ପାଦରେ ସୁବର୍ଣ୍ଣ ନୂପୁର, ଘୁଙ୍ଗୁର, ବାଙ୍କୀ, ପାପଦ୍ମ ଓ ଚୁପୁଲି ଶୋଭା ପାଉଥିଲା ।
Powered by Froala Editor