ଇନ୍ଷ୍ଟାଗ୍ରାମରେ ୧୦ ଲକ୍ଷ ଫଲୋଅର୍ସ, କିନ୍ତୁ ସନ୍ୟାସିନୀ ପାଲଟିଲେ ହର୍ଷା
ପ୍ରୟାଗରାଜ ମହାକୁମ୍ଭ ସମୟରେ ଚର୍ଚ୍ଚାକୁ ଆସିଥିବା ସୋସିଆଲ୍ ମିଡିଆ ଇନ୍ଫ୍ଲୁଏନ୍ସର, କଣ୍ଟେଣ୍ଟ କ୍ରିଏଟର ହର୍ଷା ରିଛାରିୟା ରବିବାର ସନ୍ନ୍ୟାସ ଗ୍ରହଣ କରିଛନ୍ତି । ସିପ୍ରା ନଦୀ କୂଳରେ ଉଜ୍ଜୟିନୀର ମୌନୀ ତୀର୍ଥ ଆଶ୍ରମରେ ପଞ୍ଚାୟତି ନିରଞ୍ଜନ ଆଖଡ଼ାର ପୀଠାଧିଶ୍ୱର ମହାମଣ୍ଡଳେଶ୍ୱର ସ୍ୱାମୀ ସୁମନାନନ୍ଦ ଗିରି ମହାରାଜ ତାଙ୍କୁ ସନ୍ନ୍ୟାସ ଦୀକ୍ଷା ଦେଇଛନ୍ତି ।
ଭୋପାଳରେ ରହୁଥିବା ହର୍ଷାଙ୍କର ଇନ୍ଷ୍ଟାଗ୍ରାମରେ ୧୦ ଲକ୍ଷ ଫଲୋଅର୍ସ ଅଛନ୍ତି । ସୋସିଆଲ ମିଡିଆରେ ସନାତନ ସଂସ୍କୃତିର ପ୍ରଚାର ପ୍ରସାର ସହ ଜଡିତ କଣ୍ଟେଣ୍ଟ ସେ ସେୟାର କରିଥାନ୍ତି । ୨୦୨୫ର ମହାକୁମ୍ଭ ସମୟରେ ସାଧୁସନ୍ଥମାନଙ୍କ ସହିତ ଗୈରିକ ବସ୍ତ୍ରରେ ତାଙ୍କର ଫଟୋ ଏବଂ ଭିଡିଓ ଭାଇରାଲ୍ ହୋଇଥିଲା । ଏହାପରେ ସେ ଚର୍ଚ୍ଚାକୁ ଆସିଥିଲେ ।
ସେହିପରି ମହାକୁମ୍ଭରେ ନିରଞ୍ଜନୀ ଆଖଡ଼ାର ଶୋଭାଯାତ୍ରାରେ ସେ ସନ୍ଥମାନଙ୍କ ସହ ରଥ ଉପରେ ବସିଥିବା ନଜର ଆସିଥିଲା । ସେହି ଘଟଣାକୁ ନେଇ ବିବାଦ ମଧ୍ୟ ସୃଷ୍ଟି ହୋଇଥିଲା । ରବିବାର ହର୍ଷା ସନ୍ନ୍ୟାସ ଗ୍ରହଣ କରିଛନ୍ତି । ହର୍ଷା ଏହି ସମୟରେ ତର୍ପଣ, ନିଜର ପିଣ୍ଡଦାନ କରିଥିଲେ ।
ଏହି ଅବସରରେ ହର୍ଷା କହିଛନ୍ତି, ଏହା ତାଙ୍କ ଜୀବନର ନୂତନ ଅଧ୍ୟାୟ । ଏବେ ସେ ସ୍ୱାମୀ ହର୍ଷାନନ୍ଦ ଗିରି ଭାବେ ପରିଚିତ ହେବେ । ଗୁରୁଦେବଙ୍କ ମାର୍ଗଦର୍ଶନରେ ସେ ସନ୍ନ୍ୟାସର ମାର୍ଗକୁ ଗ୍ରହଣ କରିଛନ୍ତି ।
Powered by Froala Editor