ବିଜେପି ରେଞ୍ଜରେ ଦୁଇ ହାତୀଙ୍କ ମୃତ୍ୟୁ, ବନ ବିଭାଗର ତଦନ୍ତ ଆରମ୍ଭ
କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍ ବିଜେପି(ଭୂୟାଁ ଜୁଆଙ୍ଗ ପିଢ ବନାଞ୍ଚଳ)ରେଞ୍ଜରୁ ଦୁଇଟି ହାତୀଙ୍କ ମୃତଦେହ ଠାବ କରାଯାଇଛି । ଗୋଟିଏ ମା’ ହାତୀ ହୋଇଥିବାବେଳେ ଅନ୍ୟଟି ଶାବକ । ତେବେ ହାତୀ ଦୁଇଟିର ମୃତ୍ୟୁ କାରଣ ଜଣାପଡିନଥିବାବେଳେ ଘଟଣାସ୍ଥଳରେ ଡିଏଫ୍ଓଙ୍କ ସହ ବନ କର୍ମଚାରୀ ଓ ଡାକ୍ତରୀ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।
ଖବର ଅନୁଯାୟୀ, କେନ୍ଦୁଝର ଜିଲ୍ଲା ବିଜେପି ରେଞ୍ଜ ଅଞ୍ଚଳରେ କିଛି ବର୍ଷ ହେଲା ହାତୀ-ମଣିଷଙ୍କ ମଧ୍ୟରେ ଲଢେଇ ଜାରି ରହିଥିବା ବେଳେ ବନବିଭାଗର ଅପାରଗତା ଲାଗି ହାତୀ ମୃତ୍ୟୁ ମୁଖରେ ପଡୁଛନ୍ତି । ତେବେ ସୋମବାର ମା’ ଓ ଛୁଆ ହାତୀର ମୃତଦେହ ଦୀର୍ଘ ଘଣ୍ଟା ଧରି ପଡିରହିବା ପରେ ବି ବନବିଭାଗର କୌଣସି ଟିମ୍ ଘଟଣାସ୍ଥଳରେ ପହଞ୍ଚିନଥିଲା । ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ବୃଦ୍ଧି ପାଇଛି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଉଭୟ ହାତୀଙ୍କର କେମିତି ମୃତ୍ୟୁ ହେଲା, ତାହା ସ୍ପଷ୍ଟ ହୋଇନାହିଁ । ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ପ୍ରକୃତ ସତ୍ୟ ସାମ୍ନାକୁ ଆସିବ ବୋଲି ସୂଚନା ମିଳିଛି ।
ଆଖପାଖ ଲୋକଙ୍କ କହିବାନୁଯାୟୀ, ଏକ ହାତୀପଲ ଏହି ରେଞ୍ଜର ରବ ଗାଁ ନିକଟରେ ଆତଙ୍କ ଖେଳାଇଥିଲେ । ଗାଁ ଗାଁରେ ପଶି କ୍ଷୟକ୍ଷତି ଘଟାଉଥିଲେ । ତେଣୁ କେହି ଉଦ୍ଦେଶ୍ୟମୂଳକ ଭାବେ ତାଙ୍କୁ ମାରିଥାଇପାରେ ।
Powered by Froala Editor