ମନ୍ଥା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ
ଗୋପାଳପୁର: ବାତ୍ୟା ମନ୍ଥା ନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବା ବେଳେ ରଙ୍ଗେଇଲୁଣ୍ଡା ବ୍ଲକ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି । ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଶ୍ବଜିତ ରାୟଙ୍କ ତତ୍ବାବଧାନରେ ସମସ୍ତ ପ୍ରସ୍ତୁତି କାର୍ଯ୍ୟ ଶେଷ କରାଯାଇଥିବା ବେଳେ ବ୍ଲକରେ ୩୨ ଟି ପଞ୍ଚାୟତରେ ରହିଥିବା ୩୨ ଟି ବିଦ୍ୟାଳୟ ଗୃହ ସମେତ ୯ ଟି ବାତ୍ୟା ଆଶ୍ରୟସ୍ଥଳୀକୁ ପ୍ରସ୍ତୁତ ରଖାଯିବା ସହ ସମସ୍ତ ଆଶ୍ରୟସ୍ଥଳୀରେ ଶୁଖିଲା ଖାଦ୍ୟ ସହ ଅନ୍ୟାନ୍ୟ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ମହଜୁଦ କରିବାକୁ ବ୍ଲକ ଯୋଗାଣ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ଏଥିସହ ବିଭିନ୍ନ ପଞ୍ଚାୟତରେ ରହିଥିବା ଅସୁସ୍ଥ ବ୍ୟକ୍ତି, ଗର୍ଭବତୀ ମହିଳା ଓ ବ୍ୟୟଜେଷ୍ଠ ବ୍ୟକ୍ତିଙ୍କ ତାଲିକା ସୋମବାର ସୁଦ୍ଧା ପ୍ରସ୍ତୁତ କରିବା ସହ ସେମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରିବାକୁ ନିର୍ଦ୍ଦେଶ ଜାରି କରାଯାଇଛି। ଏହା ସହ ବ୍ଲକ ପ୍ରଶାସନ ପକ୍ଷରୁ ଆମ୍ବୁଲାନ୍ସ ସହ ୩ଟି ଗାଡ଼ିକୁ ସଜାଗ ରଖାଯାଇଥିବା ବେଳେ ଏହା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ ଓ ମେଡିକାଲ ନେବାକୁ ସମସ୍ତ ପ୍ରସ୍ତୁତି ସରିଥିବା ଶ୍ରୀ ରାୟ ପ୍ରକାଶ କରିଛନ୍ତି।
ଏଥିସହ ସମୁଦ୍ର କୂଳରେ ରହୁଥିବା ମତ୍ସ୍ୟଜୀବୀ ମାନଙ୍କୁ ସେମାନଙ୍କ ଡଙ୍ଗା ଓ ଜାଲ ଗୁଡ଼ିକୁ ସୁରକ୍ଷିତ ସ୍ଥାନରେ ରଖିବା ଏବଂ ଯେଉଁ ମତ୍ସ୍ୟଜୀବୀ ମାନେ ସମୁଦ୍ରକୁ ମାଛ ଧରିବାକୁ ଯାଇଛନ୍ତି ସେମାନଙ୍କୁ କୂଳକୁ ଫେରିବା ଏବଂ ଗୁରୁବାର ପର୍ଯ୍ୟନ୍ତ ମାଛଧରିବାକୁ ସମୁଦ୍ରକୁ ନଯିବାକୁ ସଚେତନ କରାଯାଇଛି।
Powered by Froala Editor