ନୂଆପଡ଼ା ନିର୍ବାଚନ: ପ୍ରାର୍ଥୀ ମନୋନୟନ ପାଇଁ ବରିଷ୍ଠ ନେତାଙ୍କୁ ଦାୟିତ୍ବ ଦେଲେ ନବୀନ

ଭୁବନେଶ୍ବର: ଦିବଙ୍ଗତ ନେତା ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ ବିଜେପିକୁ ଯିବା ପରେ ବିଜେଡିକୁ ଘାରିଛି ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଚିନ୍ତା। ଜୟଙ୍କୁ ପ୍ରାର୍ଥୀ କରି ନୂଆପଡ଼ାରେ ଅନୁକମ୍ପା ଭୋଟ୍ ହାତେଇବାକୁ ଲକ୍ଷ୍ୟ ରଖିଥିଲା ବିଜେଡି। ହେଲେ ଜୟ ବିଜେଡିର ଅଙ୍କକୁ ବିଗାଡ଼ି ଦେଇ ପଦ୍ମ ଧରିଛନ୍ତି। ସମ୍ଭାବ୍ୟ ପ୍ରାର୍ଥୀ ଦଳରୁ ମୁହଁ ଫେରାଇବା ପରେ କାହାକୁ ବିଜେଡି ପ୍ରାର୍ଥୀ କରିବ ତା’ ଉପରେ ସମସ୍ତଙ୍କ ନଜର ରହିଛି।
ନୂଆପଡ଼ାରେ ପ୍ରାର୍ଥୀ ମନୋନୟନ ପାଇଁ ବିଜେଡି ସଭାପତି ନବୀନ ପଟ୍ଟନାୟକ କମିଟି ଗଠନ କରି ବରିଷ୍ଠ ନେତାଙ୍କୁ ଦାୟିତ୍ବ ଦେଇଛନ୍ତି। ପ୍ରଣବ ପ୍ରକାଶ ଦାସ, ସଞ୍ଜୟ ଦାସବର୍ମା, ଦେବୀ ପ୍ରସାଦ ମିଶ୍ର, ଅତନୁ ସବ୍ୟସାଚୀ ନାୟକ, ପ୍ରତାପ ଜେନା, ପ୍ରତାପ କେଶରୀ ଦେବ, କଳିକେଶ ନାରାୟଣ ସିଂହଦେଓ ଓ ଅରୁଣ ସାହୁଙ୍କୁ ପ୍ରାର୍ଥୀ ବାଛିବାର ଗୁରୁଦାୟିତ୍ବ ନ୍ୟସ୍ତ ହୋଇଛି। ଏହି ନେତାମାନେ ନୂଆପଡ଼ା ଯାଇ ସେଠାକାର ସ୍ଥିତି ଦେଖି ସ୍ଥାନୀୟ ନେତା ଓ କର୍ମୀଙ୍କ ସହ ଆଲୋଚନା କରିବେ।
ବିଜେଡିର ପ୍ରାର୍ଥୀ ଦୌଡ଼ରେ ଆଗରେ ରହିଛନ୍ତି ନୂଆପଡ଼ା ଜିଲା ସଭାପତି ଅବନୀ ଯୋଶୀ। ସେ ସ୍ବର୍ଗତ ଢୋଲକିଆଙ୍କ ବଡ଼ ସହଯୋଗୀ ଥିଲେ। ଦଳ ତାଙ୍କୁ ପ୍ରାର୍ଥୀ କରିବା ସମ୍ଭାବନା ଅଧିକ ରହିଥିବା ଚର୍ଚ୍ଚା ହେଉଛି। ସେହିପରି ଜିଲା ଆଦିବାସୀ କଲ୍ୟାଣ ସଂଘ ସଭାପତି ଭାନୁପ୍ରତାପ ସିଂ ମାଝୀ, ପୂର୍ବତନ ଜିଲା ବିଜେଡି ସଭାପତି ମନୋଜ ମିଶ୍ରଙ୍କ ନାଁକୁ ନେଇ ମଧ୍ୟ ଆଲୋଚନା ହେଉଛି। ଏହାଛଡ଼ା ବିଜେପିରୁ ଅସନ୍ତୁଷ୍ଟ ନେତାଙ୍କ ଉପରେ ମଧ୍ୟ ବିଜେଡି ନଜର ରଖିଥିବା କୁହାଯାଉଛି। ବିଜେଡି ନେତା ତଥା ବିଧାୟକ ବିଶ୍ବରଞ୍ଜନ ମଲ୍ଲିକ କହିଛନ୍ତି, ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଅତୁଟ ରହିଛି।
ତୃଣମୂଳସ୍ତରର ନେତା ଓ କର୍ମୀ ଯାହା ନାଁ ସ୍ଥିର କରିବେ, ତାହା ଉପରେ ନବୀନ ପଟ୍ଟନାୟକ ମୋହର ମାରିବେ। ରାଜେନ୍ଦ୍ର ଢୋଲକିଆଙ୍କ ଲୋକପ୍ରିୟତା ଥିଲା। ସେ ବିଜେଡି ଓ ଶଙ୍ଖ ଚିହ୍ନରୁ ଜିତିଥିଲେ। ତେଣୁ ବିଜେଡି ସହ ଲୋକ ଅଛନ୍ତି। ବିଜେଡି ସେଠାରେ ଯାହାକୁ ପ୍ରାର୍ଥୀ କରିବ ଭଲ ଭୋଟ ବ୍ୟବଧାନରେ େସ ଜିତିବ ବୋଲି ବିଜେଡ଼ି ପକ୍ଷରୁ ପ୍ରକାଶ କରାଯାଇଛି।
Powered by Froala Editor