ଆର୍ଯ୍ୟ ସମାଜ କେବଳ ଧାର୍ମିକ ସଂସ୍କାର ଆନ୍ଦୋଳନ ନୁହେଁ, ଏହା ନୈତିକ, ଶିକ୍ଷାଗତ ଏବଂ ସାମାଜିକ ବିପ୍ଲବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଯେତେବେଳେ ଭାରତ ବିଦେଶୀ ଶାସନ ଅଧୀନରେ ସଂଘର୍ଷ କରୁଥିଲା, ସେହି ସମୟରେ ୧୮୭୫ରେ ସ୍ୱାମୀ ଦୟାନନ୍ଦ ସରସ୍ୱତୀଙ୍କ ଦ୍ୱାରା ପ୍ରତିଷ୍ଠିତ ଆର୍ଯ୍ୟ ସମାଜ ପରାଧୀନ ଭାରତ ବର୍ଷରେ ଅଜ୍ଞତାର ଅନ୍ଧକାର ଓ ଅସାମାନତା ମଧ୍ୟରେ ଆଲୋକର ସୂର୍ଯ୍ୟ ପରି ଉଦୟ ହୋଇଥିଲା ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ।
ଆର୍ଯ୍ୟ ସମାଜର ୧୫୦ତମ ପ୍ରତିଷ୍ଠା ଦିବସ ଅବସରରେ ଭୁବନେଶ୍ୱର ଚନ୍ଦ୍ରଶେଖରପୁରସ୍ଥିତ ରେଳ ଅଡିଟୋରିୟମଠାରେ ଆୟୋଜିତ ଆର୍ଯ୍ୟ ମହା ସମ୍ମେଳନ-୨୦୨୫ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଯଦି ଆମେ ଗତ ୧୫୦ ବର୍ଷକୁ ଦେଖିବା ତେବେ ଭାରତର ଜାଗରଣରେ ଆର୍ଯ୍ୟ ସମାଜର ଅବଦାନ ଅତୁଳନୀୟ । ଆର୍ଯ୍ୟ ସମାଜ କେବଳ ଏକ ଧାର୍ମିକ ସଂସ୍କାର ଆନ୍ଦୋଳନ ନୁହେଁ, ଏହା ଏକ ନୈତିକ, ଶିକ୍ଷାଗତ ଏବଂ ସାମାଜିକ ବିପ୍ଲବ ।
ସେ ପୁଣି କହିଥିଲେ, ପରାଧୀନ ଭାରତ ବର୍ଷରେ ସ୍ୱାମୀ ଦୟାନନ୍ଦ ସରସ୍ୱତୀ ଏଭଳି ଜଣେ ସନ୍ଥ ଥିଲେ, ଯିଏ ଅନ୍ଧ ବିଶ୍ୱାସ, ଜାତିପ୍ରଥା ଏବଂ ସାମାଜିକ କୁସଂସ୍କାରକୁ ଚ୍ୟାଲେଞ୍ଜ କରିବାକୁ ସାହସ କରିଥିଲେ । ପରାଧୀନ ଭାରତ ବର୍ଷରେ ଶିକ୍ଷା, ମହିଳା ସଶକ୍ତିକରଣ ଏବଂ ବୈଦିକ ଶିକ୍ଷାର ପୁନରୁଦ୍ଧାର ଜରିଆରେ ସ୍ୱାମୀ ଦୟାନନ୍ଦଙ୍କ ନେତୃତ୍ୱରେ ଆର୍ଯ୍ୟ ସମାଜ ଏକ ନୂତନ ଜାଗରଣ ସୃଷ୍ଟି କରିଥିଲା ।
କାର୍ଯ୍ୟକ୍ରମରେ ଉତ୍କଳ ଆର୍ଯ୍ୟ ପ୍ରତିନିଧି ସଭାର ଅଧ୍ୟକ୍ଷ ସ୍ୱାମୀ ବ୍ରତାନନ୍ଦ ସରସ୍ୱତୀ, ବିଶିଷ୍ଟ ସମାଜସେବୀ ଜଗଦିଶ ପ୍ରସାଦ ଖାଡାଙ୍ଗା, ଆର୍ଯ୍ୟ ପ୍ରତିନିଧି ସଭା ନୂଆଦିଲ୍ଲୀର ଉପସଭାପତି ଯୋଗେନ୍ଦ୍ର ଖଟ୍ଟର ପ୍ରମୁଖ ବକ୍ତବ୍ୟ ରଖିଥିଲେ। ଉତ୍କଳ ଆର୍ଯ୍ୟ ପ୍ରତିନିଧି ସଭାର କାର୍ଯ୍ୟକାରୀ ସଭାପତି ପଣ୍ଡିତ ବିରେନ୍ଦ୍ର କୁମାର ପଣ୍ଡା ସ୍ୱାଗତ ଭାଷଣ ଦେଇଥିଲେ।
Powered by Froala Editor