ଟ୍ରମ୍ପଙ୍କ ଶୁଳ୍କ ଯୋଗୁଁ ଭାରତକୁ କ୍ଷତିପୂରଣ ଦେବ ରୁଷ
ନୂଆଦିଲ୍ଲୀ: ଭାରତ ଉପରେ ଚାପ ପକାଇବା ପାଇଁ ଆମେରିକା ୫୦ପ୍ରତିଶତ ଶୁଳ୍କ ଲାଗୁ କରିଥିଲା । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାବିଥିଲେ ଯେ ଏହା ଭାରତ-ରୁଷ ବନ୍ଧୁତାକୁ ଭାଙ୍ଗିଦେବ । ଶୁଳ୍କ ଚାପରେ ଭାରତ ରୁଷଠାରୁ ଆଉ ତେଲ କିଣିବା ବନ୍ଦ କରିଦେବ । ଫଳରେ ଏହା ରୁଷକୁ ମଧ୍ୟ ଦୁର୍ବଳ କରିବ । ରୁଷ-ୟୁକ୍ରେନ ଯୁଦ୍ଧ ମଧ୍ୟ ଶେଷ ହୋଇଯିବ । କିନ୍ତୁ ଭାରତ ରୁଷ ବନ୍ଧୁତା ଟ୍ରମ୍ପଙ୍କ ଆଶାକୁ ମଉଳାଇ ଦେଇଛି । ହଁ ଟ୍ରମ୍ପଙ୍କ ଶୁଳ୍କର ପ୍ରଭାବ ଏବେ ବିପରୀତ ପ୍ରଭାବ ପକାଉଛି । ଭାରତ ଏବଂ ରୁଷ ମଧ୍ୟରେ ବନ୍ଧୁତା ଆହୁରି ମଜବୁତ କରିଛି । ଏହି କାରଣରୁ ରୁଷ ତା’ର ବନ୍ଧୁ ଭାରତକୁ ଶୁଳ୍କ ଯୋଗୁଁ ଅଧିକ କ୍ଷତି ସହିବାକୁ ଦେବନାହିଁ । ଟ୍ରମ୍ପଙ୍କ ଶୁଳ୍କ ଯୋଗୁଁ ହୋଇଥିବା କ୍ଷତି ପାଇଁ ରୁଷ ନିଜେ ଭାରତକୁ କ୍ଷତିପୂରଣ ଦେବ । ଏନେଇ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏହି ନିର୍ଦେଶ ଦେଇଛନ୍ତି ।
ଅତ୍ୟଧିକ ଅଶୋଧିତ ତୈଳ ଆମଦାନୀ ଯୋଗୁଁ ଭାରତ ସହିତ ବାଣିଜ୍ୟ ଅସନ୍ତୁଳନ ହାସ କରିବା ପାଇଁ ପଦକ୍ଷେପ ନେବାକୁ ଗୁରୁବାର ଦିନ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ତାଙ୍କ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି । ଗୁରୁବାର ସନ୍ଧ୍ୟାରେ ଦକ୍ଷିଣ କୃଷ୍ଣସାଗର ରିସର୍ଟରେ ଭାରତ ସମେତ ୧୪୦ଟି ଦେଶର ସୁରକ୍ଷା ଏବଂ ଭୂ-ରାଜନୈତିକ ବିଶେଷଜ୍ଞଙ୍କ ଆନ୍ତର୍ଜାତୀୟ ମଞ୍ଚରେ ଭାଷଣ ଦେଇ ପୁଟିନ କହିଛନ୍ତି ରୁଷ ଏବଂ ଭାରତ ମଧ୍ୟରେ କେବେ କୌଣସି ସମସ୍ୟା କିମ୍ବା ଉତ୍ତେଜନା ସୃଷ୍ଟି ହୋଇନାହିଁ । ସେ ସର୍ବଦା ସେମାନଙ୍କର ସମ୍ବେଦନଶୀଳତାକୁ ଧ୍ୟାନରେ ରଖି ପଦକ୍ଷେପ ନେଇଛନ୍ତି । ପୁଟିନ ମୋଦୀଙ୍କୁ ତାଙ୍କର ଭଲ ବନ୍ଧୁ ବୋଲି କହିଛନ୍ତି ।
Powered by Froala Editor