ଶିକ୍ଷା କ୍ଷେତ୍ରରେ ଏଆଇର ବ୍ୟବହାର ଏବଂ ଏଆଇ ସମ୍ପର୍କିତ ଶିକ୍ଷା ପରସ୍ପର ପରିପୂରକ: ଧର୍ମେନ୍ଦ୍ର
ନୂଆଦିଲ୍ଲୀ: ଭାରତ ଆଜି ବିଶ୍ୱର ଏକ ପ୍ରମୁଖ ବୈଷୟିକ ଶକ୍ତି ଭାବେ ଉଭା ହେଉଥିବା ବେଳେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (ଏଆଇ) ଏହି ଯାତ୍ରାରେ ଏକ ନୂତନ ଅଧ୍ୟାୟ ଯୋଡ଼ିବାକୁ ଯାଉଛି ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ମଙ୍ଗଳବାର ନୂଆଦିଲ୍ଲୀରେ ଚାଲିଥିବା ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀ ୨୦୨୬ରେ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ‘ପୁସିଂ ଦ ଫ୍ରଣ୍ଟିୟର୍ ଅଫ୍ ଏଆଇ ଇନ୍ ଇଣ୍ଡିଆ’ ଶୀର୍ଷକ ସ୍ୱତନ୍ତ୍ର ଅଧିବେଶନକୁ ସମ୍ବୋଧିତ କରି ଶ୍ରୀ ପ୍ରଧାନ ଏହା କହିଛନ୍ତି । ସେ କହିଛନ୍ତି ଯେ ଏହି ସମ୍ମିଳନୀ ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏକ ଦୂରଦର୍ଶୀ ପଦକ୍ଷେପ, ଯାହା ଭାରତରେ ଏଆଇର ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବା ପାଇଁ ଲକ୍ଷ୍ୟ ରଖିଛି। ସମଗ୍ର ବିଶ୍ୱ ଆଜି ଭାରତର ଦ୍ରୁତ ଏଆଇର ବ୍ୟବହାରକୁ ଲକ୍ଷ୍ୟ କରୁଛି। ୨୦୪୭ ସୁଦ୍ଧା ଏକ ବିକଶିତ ଭାରତ ଗଠନ କରିବା ଏବଂ ଭାରତକୁ ବିଶ୍ୱର ଜ୍ଞାନର ମହାଶକ୍ତି ଭାବେ ପ୍ରତିଷ୍ଠିତ କରିବାରେ ଏଆଇ ପ୍ରମୁଖ ଭୂମିକା ଗ୍ରହଣ କରିବ।
ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଶିକ୍ଷା କ୍ଷେତ୍ରରେ ଏଆଇର ବ୍ୟବହାର ଏବଂ ଏଆଇ ସମ୍ପର୍କିତ ଶିକ୍ଷା ପରସ୍ପର ପରିପୂରକ। ଆଜିର ଯୁବପିଢ଼ି ପୂର୍ବ ପିଢ଼ିଙ୍କ ତୁଳନାରେ ସମ୍ପୂର୍ଣ୍ଣ ଭିନ୍ନ ଓ ଅଭିନବ ଚିନ୍ତାଧାରା ରଖୁଛନ୍ତି। ଜାତୀୟ ଶିକ୍ଷା ନୀତି ୨୦୨୦ ର ଦୂରଦୃଷ୍ଟି ଏବଂ ବିକଶିତ ଭାରତ ୨୦୪୭ର ଜାତୀୟ ଲକ୍ଷ୍ୟ ସହିତ ସମାନତା ରକ୍ଷା କରି ସମଗ୍ର ଶିକ୍ଷା ବ୍ୟବସ୍ଥାରେ ଏଆଇକୁ ଏକୀକୃତ କରିବା ପାଇଁ ମନ୍ତ୍ରଣାଳୟର ଏହା ଏକ ପ୍ରୟାସ। ଗତ ଏକ ଦଶନ୍ଧି ମଧ୍ୟରେ ଶିକ୍ଷା ମନ୍ତ୍ରଣାଳୟ ଜାତୀୟ ଡିଜିଟାଲ୍ ପ୍ଲାଟଫର୍ମ, ନୀତିଗତ ଢାଞ୍ଚା, ସାଂସ୍ଥାନିକ ସଂସ୍କାର ଏବଂ ବିଦ୍ୟାଳୟ ଶିକ୍ଷା, ଉଚ୍ଚଶିକ୍ଷା, ଦକ୍ଷତା ଏବଂ ଅତ୍ୟାଧୁନିକ ଅନୁସନ୍ଧାନ ଓ ନବସୃଜନ କ୍ଷେତ୍ରରେ ଏଆଇ- ସମର୍ଥ ଶିକ୍ଷା ପାଇଁ ଭିତ୍ତିଭୂମି ପ୍ରସ୍ତୁତ କରିଛି। ଏହି ଅଧିବେଶନର ଉଦ୍ଦେଶ୍ୟ ହେଉଛି ଭାରତର ଜାତୀୟ ଏଆଇ-ଇନ୍-ଏଜୁକେସନ୍ ରୋଡମ୍ୟାପ୍ ପ୍ରସ୍ତୁତ କରିବା। ଏହି ଅଧିବେଶନରେ ଶିକ୍ଷା ବିଭାଗ ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ଚୌଧୁରୀ, ଶିକ୍ଷାବିତ୍, ଶିଳ୍ପ ଏବଂ ନିବେଶ କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତିମାନେ ଅଂଶଗ୍ରହଣ କରିଥିଲେ।
Powered by Froala Editor