୩୦ ରେ ବିହାର ବିଧାନସଭା ନିର୍ବାଚନ: ୪୭୦ ପର୍ଯ୍ୟବେକ୍ଷକ ହେବେ ନିଯୁକ୍ତ

ନୂଆଦିଲ୍ଲୀ: ସେପ୍ଟେମ୍ବର ୩୦ ତାରିଖରେ ବିହାର ବିଧାନସଭା ନିର୍ବାଚନ ପାଇଁ ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇବ। ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇବା ପରେ ଅକ୍ଟୋବର ୬ କିମ୍ବା ୭ ତାରିଖରେ ବିଧାନସଭା ନିର୍ବାଚନ ପାଇଁ ନିର୍ବାଚନ ଆୟୋଗ (ଇସି) କାର୍ଯ୍ୟସୂଚୀ ଘୋଷଣା କରିବାର ସମ୍ଭାବନା ରହିଛି। କାର୍ଯ୍ୟସୂଚୀ ଘୋଷଣା କରିବା ପୂର୍ବରୁ ଅକ୍ଟୋବର ୪ ଓ ୫ ତାରିଖରେ ନିର୍ବାଚନ ଆୟୋଗଙ୍କ ସମସ୍ତ ସଦସ୍ୟ ବିହାର ଗସ୍ତ କରି ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା କରିବେ। ବିହାର ଗସ୍ତ କାଳରେ ଇସି ସମସ୍ତ ଜିଲାପାଳ, ଆରକ୍ଷୀ ଅଧୀକ୍ଷକ (ଏସ୍ପି), ରାଜନୈତିକ ଦଳର ପ୍ରତିନିଧି, ଆୟକର, ଅବକାରୀ ବିଭାଗ, ଇଡି, ଡିଆରଆଇ, ନାର୍କୋଟିକ କେଣ୍ଟ୍ରାଲ ବ୍ୟୁରୋ ଆଦି ବିଭିନ୍ନ ବିଭାଗର ଅଧିକାରୀଙ୍କ ସହିତ ବୈଠକ କରିବେ। ଏହା ପରେ ନିର୍ବାଚନ ଆୟୋଗ ସ୍ବରାଷ୍ଟ୍ର ବିଭାଗ ସଚିବଙ୍କ ସହିତ ବୈଠକ କରି ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରିବେ। ନିର୍ବାଚନର ସୁରକ୍ଷା ପାଇଁ କେତେ ସଂଖ୍ୟକ ଅର୍ଦ୍ଧସାମରିକ ବାହିନୀ ମୁତୟନ ହେବେ ସେ ବାବଦରେ ସ୍ବରାଷ୍ଟ୍ର ବିଭାଗ ସଚିବଙ୍କୁ ଜଣାଇବେ। ଅକ୍ଟୋବର ୩ ତାରିଖରେ ନିର୍ବାଚନ ପର୍ଯ୍ୟବେକ୍ଷକଙ୍କ ସହିତ ଇସିଙ୍କ ବୈଠକ ହେବ। ବିହାର ନିର୍ବାଚନକୁ ସ୍ବଚ୍ଛ, ନିରପେକ୍ଷ ଓ ଅବାଧ କରିବା ଲାଗି ଆୟୋଗ ୪୭୦ଜଣ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତି ଦେବେ। ଏଥିମଧ୍ୟରୁ ୩୨୦ଜଣ ଆଇଏଏସ୍, ୬୦ ଆଇପିଏସ୍ ଓ ୯୦ଜଣ ଅନ୍ୟ କ୍ୟାଡରର (ଆଇଆରଏସ୍, ଆଇଆରଏଏସ୍, ଆଇସିଏଏସ୍) ଅଧିକାରୀ ରହିବେ। ବିହାର ବିଧାନସଭା ୨୪୩ ଆସନ ସହିତ ବିଭିନ୍ନ ରାଜ୍ୟର ୭ଟି ବିଧାନସଭା ଆସନ ଉପନିର୍ବାଚନ ପାଇଁ ମଧ୍ୟ ତାରିଖ ଘୋଷଣା କରିବେ।
ଅନ୍ୟପଟେ ବିହାରରେ ହୋଇଥିବା ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ କାର୍ଯ୍ୟ (ଏସ୍ଆଇଆର) ଉପରେ ସୁପ୍ରିମକୋର୍ଟ ଅକ୍ଟୋବର ୭ରେ ଚୂଡାନ୍ତ ରାୟ ପ୍ରକାଶ କରିବେ। ନିର୍ବାଚନ ଆୟୋଗଙ୍କ ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁଯାୟୀ ଲୋକସଭା ଓ ବିଧାନିସଭା ନିର୍ବାଚନ ତାରିଖ ବା କାର୍ଯ୍ୟସୂଚୀ ଘୋଷଣା କରିବା ଆୟୋଗଙ୍କର ଏକ ସାମ୍ବିଧାନିକ ଦାୟିତ୍ବ। ନ୍ୟାୟପାଳିକାର ଶୁଣାଣି ପାଇଁ ଏହାକୁ ବିଳମ୍ବ କରାଯାଇପାରିବ ନାହିଁ। ବିହାର ଏସଆଇଆର ପ୍ରକ୍ରିୟାରେ ଯଦି କୌଣସି ଅନିୟମିତତା ହୋଇଥିବା ଜଣାପଡେ ତେବେ ଏହାକୁ ସମ୍ପୂର୍ଣ୍ଣ ରୂପେ ବାତିଲ କରିଦିଆଯିବ ବୋଲି ସୁପ୍ରିମକୋର୍ଟ ଚରମବାଣୀ ଶୁଣାଇଛନ୍ତି।
Powered by Froala Editor